ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ବୀରମହାରାଜପୁର ର ସାମ୍ବାଦିକ ସ୍ଵର୍ଗତଃ ଶ୍ରବଣ କୁମାର ପ୍ରଧାନ ଙ୍କ ମା ଦମୟନ୍ତୀ ପ୍ରଧାନ ଙ୍କୁ ସୁଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରଦତ୍ତ ଚାରି ଲକ୍ଷ ଟଙ୍କା ର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ର ନିର୍ଦ୍ଦେଶାନାମା ପ୍ରଦାନ କରିଛନ୍ତି l ଏଠାରେ ସୂଚନାଯୋଗ୍ୟ ଯେ ବୀରମହାରାଜପୁର ଉପଖଣ୍ଡର ଲୋକପ୍ରିୟ ସାମ୍ବାଦିକ ଶ୍ରବଣ ପ୍ରଧାନ ଙ୍କ ଗତବର୍ଷ ଅଗଷ୍ଟ ମାସରେ ଅସାମୟିକ ଦେହାନ୍ତ ହୋଇଯାଇଥିଲା l ସେ ଦୀର୍ଘ ବର୍ଷ ଧରି ଧରିତ୍ରୀ ସମ୍ବାଦପତ୍ର ର ଫଟୋ ଜର୍ଣ୍ଣାଲିଷ୍ଟ ହିସାବରେ ସୂଚାରୁ ରୂପରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ l ଏହା ସହିତ ବୀରମହାରାଜପୁର ର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ l ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେ ନିସ୍ୱାର୍ଥପର ଭାବରେ ସହାୟତା ଯୋଗାଇ ଦେଉଥିଲେ l ଏଭଳି ଜଣେ ପରୋପକାରୀ ସାମ୍ବାଦିକ ଙ୍କ ମୃତ୍ୟୁ ରେ ବୀରମହାରାଜପୁର ସହରର ଜନସାଧାରଣ ତଥା ଜିଲ୍ଲା ର ସମସ୍ତ ସାମ୍ବାଦିକ ଗଭୀର ଦୁଃଖ ପ୍ରକାଶ କରିଥିଲେ l ସେ ଅବିବାହିତ ଥିବାରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ତାଙ୍କର ବୃଦ୍ଧା ମାଆ ଙ୍କୁ ଓଡ଼ିଶା କର୍ତ୍ତବ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ରୁ ଏକକାଳୀନ ଅନୁକମ୍ପା ମୂଳକ ସହାୟତା ହିସାବରେ ଚାରି ଲକ୍ଷ ଟଙ୍କା ଆକାଉଣ୍ଟ୍ ଜରିଆରେ ପ୍ରଦାନ କରାଯିବ l ଏହି ଉପଲକ୍ଷେ ଆଜି ଜିଲାପାଳଙ୍କ କାର୍ଯ୍ଯାଳୟ ରେ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ସହାୟତା ନିର୍ଦ୍ଦେଶାନାମା ଶ୍ରବଣ ଙ୍କ ମା ଦମୟନ୍ତୀ ଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ, ସମ୍ପାଦକ ବ୍ଯୋମକେଶ ଦାଶ , ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରି , ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ସତ୍ୟବାନ ପୁରୋହିତ ଙ୍କ ସମେତ ମାନଭଞ୍ଜନ ପୂଜାରୀ, ନିରଞ୍ଜନ ଭୋଇ ତଥା ବିଭାଗୀୟ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଉଦ୍ୟମ କ୍ରମେ ଏହି ସହାୟତା ରାଶି ଶୀଘ୍ର ପ୍ରାପ୍ତ ହୋଇଥିବାରୁ ମା ଦମୟନ୍ତୀ ଏବଂ ସାମ୍ବାଦିକ ସଂଘ ଧନ୍ୟବାଦ ଅର୍ପଣ କରିଥିଲେ l