କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଚିକିତ୍ସାଧୀନ ରୋଗୀ ନିଖୋଜ ହୋଇଥିବା ଜଣାପଡିଛି। ଏ ନେଇ ନିଖୋଜ ବୃଦ୍ଧଙ୍କ ପୁଅ ଟାଉନ ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ବାଲିଗୁଡା ଥାନା ବାରଖମା ଫାଣ୍ଡି ଅଞ୍ଚଳ ସିରୁବାଲି ଗ୍ରାମର ବେଡଙ୍ଗା ମଲିକ (୬୦) ଅସୁସ୍ଥ ଥିବାରୁ ଗତ ୧୯ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଂକ୍ରମଣ ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ସେଠାରେ ୧୧୩ ନଂ ବେଡରେ ରହି ଚିକିତ୍ସିତ ହେଉଥିଲେ। ତେବେ ୨୦ ତାରିଖ ଦିନ ସେ ତାଙ୍କ ଶଯ୍ୟାରେ ନ ଥିବା ଘର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ମେଡିକାଲ କ୍ୟାମ୍ପସ ସହ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଫଳରେ ନିଖୋଜ ବୃଦ୍ଧଙ୍କ ପୁଅ ଦେବାର୍ଚ୍ଚନ ଟାଉନ ଥାନାରେ ଏନେଇ ଏତଲା ଦେଇଛନ୍ତି। ଟାଉନ ପୁଲିସ ଖୋଜାଖୋଜି କରୁଥିଲେ ବି ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ।