ସୁସ୍ଥ ରହିବାର ଏକମାତ୍ର ଆଧାର – ଯୋଗ

ଢେଙ୍କାନାଳ,(ଶୁଭମ ପାଣି): ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଢେଙ୍କାନାଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ (ଆଇୱା) ତରଫରୁ ଢେଙ୍କାନାଳ ଜିଲ୍ଲା, ସଦର ବ୍ଲକ ଅନ୍ତର୍ଗତ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଅଛି |ଏହି ଯୋଗ ଶିବିରରେ ଆଇୱାର ନିର୍ଦ୍ଦେଶିକା ଅନସୂୟା ମିଶ୍ର ଆନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ଏବଂ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ | ଆଇୱାର ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ର ଯୋଗ କରିବାର ପ୍ରକୃତ ଶୈଳୀ, ଉପଯୁକ୍ତ ସମୟ ଉପରେ ସମ୍ୟକ ସୂଚନା ଦେଇ ଯୋଗ ଶିବିରରେ ଥିବା ସମସ୍ତଙ୍କୁ ବିଭିନ୍ନ ପ୍ରକାର ଯୋଗାସନ ତଥା ପ୍ରାଣାୟାମର ଅଭ୍ୟାସ କରାଇଥିଲେ |ଯୋଗାସନ ଏବଂ ପ୍ରାଣାୟାମ ପରେ ଦୁଇ ମିନିଟ ମେଡିଟେସନ କରାଇଥିଲେ |ଯୋଗ ଶିବିରଟି “ଓଁ କାର “ଏବଂ “ଗାୟତ୍ରୀ ମହାମନ୍ତ୍ର” ସହ ଆରମ୍ଭ ହୋଇ ଶାନ୍ତିପାଠରେ ଶେଷ ହୋଇଥିଲା |ଏହି କାର୍ଯ୍ୟକ୍ରମ ଅବସରରେ ଆଇୱାର ଯୋଗ ପ୍ରଶିକ୍ଷିକା,2023 ବର୍ଷ ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ “Yoga For Vasudhaiva Kutumbakam” ସ୍ଲୋଗାନର ମହତ୍ତ୍ୱ ବିଷୟରେ ବୁଝାଇଥିଲେ |ଏହି ଯୋଗ ଶିବିରଟି ସପ୍ତଶଯ୍ୟାର ସରପଞ୍ଚ ଶ୍ରୀ ଅଭିମନ୍ୟୁ ବେହେରା ଏବଂ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ମାଡାମଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହୋଇଥିଲା |କାର୍ଯ୍ୟକ୍ରମଟିର ସୁପରିଚାଳନା ପାଇଁ ଆଇୱାର ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ପାଢ଼ୀ,କୋଷାଧ୍ୟକ୍ଷ ତୟୁବ ଅନସାରୀ ଏବଂ ଅନ୍ୟତମ ସଦସ୍ୟା ନିବେଦିତା ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ | ଯୋଗ ଶିବିରଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟର ଏନ. ସି. ସି. ଛାତ୍ରୀଛାତ୍ର ବୃନ୍ଦ, ସପ୍ତଶଯ୍ୟା ସି. ଆର. ପି. ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତଥା ସ୍ଥାନୀୟ ଯୁବ ଗୋଷ୍ଠୀ ସହଯୋଗ କରଥିଲେ |କାର୍ଯ୍ୟକ୍ରମର ଶେଷରେ ଆଇୱାର ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରି ଏହି ଦିବସର ଯୋଗ ଶିବିରକୁ ସମାପନ କରିଥିଲେ |