ତଲାରୀ କ୍ଷେତ୍ର ଗୁଣୁପୁର ଠାରେ ଚଳିତ ବର୍ଷ ଶ୍ରୀଜୀଉଙ୍କ ରଥଯାତ୍ରା ବେଶ ଶାନ୍ତି ଶୃଙ୍ଖଳା ର ସହ ପାଳିତ

ଗୁଣୁପୁର,(ସିଦ୍ଧାର୍ଥ ଦାଶ) : ତଲାରୀ କ୍ଷେତ୍ର ଗୁଣୁପୁର ଠାରେ ଚଳିତ ବର୍ଷ ଶ୍ରୀଜୀଉଙ୍କ ରଥଯାତ୍ରା ବେଶ ଶାନ୍ତି ଶୃଙ୍ଖଳା ର ସହ ପାଳିତ ହୋଇଛି । ପାଗ ଶୁଖିଲା ଥିବାରୁ ପ୍ରାୟ ଏକ ଲକ୍ଷ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଅପରାହ୍ଣ ୩ ଟାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଠାକୁର ବଳଭଦ୍ର, ସୁଭଦ୍ରା ଓ ଶେଷରେ କୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା । ସୁନ୍ଦର ଟାହିୟା ସହ ସେବାୟତ ଙ୍କ ଘଣ୍ଟ ଘଣ୍ଟା ନାଦ ଓ ଜୟ ଜଗନ୍ନାଥ ଧ୍ୱନି,ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ନାମ ସଂକୀର୍ତ୍ତନ ରେ ଗୁଣୁପୁର ବଡଦାଣ୍ଡ ଉଛୁଳି ଉଠିଥିଲା । ଶ୍ରୀଜୀଉଙ୍କୁ ରଥାରୂଢ କରି ସାରିବା ପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ରଥକୁ ସର୍ବ ସାଧାରଣ ଜନତା ଟାଣି ନେଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇ ଦେଇ ଥିବା ବେଳେ ସାନ ରଥ କୁ କେବଳ ମହିଳା ମାନେ ଟାଣିଥିଲେ । ସୂଚନା କେନ୍ଦ୍ର ରୁ ଜଗନ୍ନାଥ କଥା ସଂସ୍କୃତି ର ତତ୍ତ୍ୱ ଓ ତଥ୍ୟ ଭିତ୍ତିକ ଧାରାବିବରଣୀ ପ୍ରାଧ୍ୟାପକ ଡ଼ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ପ୍ରାଧ୍ୟାପକ ଶ୍ରୀ ଶେଷସାଇ ସେନାପତି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

ସେହିପରି ଗୁଣପୁର ର ବିଭିନ୍ନ ସେବା ସଙ୍ଗଠନ ପକ୍ଷରୁ ପାନୀୟ ଜଳ, ପଣା, ସରବତ ଓ ଅନ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ପୁଲିସ ପକ୍ଷରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ରକ୍ଷା କାର୍ଯ୍ୟ ସୁଚାରୁ ରୂପେ କରାଯାଇଥିଲା । ଦେବତ୍ତୋର ବିଭାଗ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥଯାତ୍ରା ସୁପରିଚାଳନା କରାଯାଇଥିଲା । ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ , ଉପ ଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଶରତ ଚନ୍ଦ୍ର ନାୟକ, ଜି ଆଇ ଇ ଟି ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା , ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ସମାଜସେବୀ ଉମା ଦାଶ, ତ୍ରିପତି ମହାନ୍ତି, ପ୍ରାଧ୍ୟାପକ ଡ଼ ସୂର୍ଯ୍ୟ ନାରାୟଣ ପଣ୍ଡା, ଡ଼ ଜବାହରଲାଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଅନୁସାରେ ଦଶ ଅବତାର ବେଶ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ।