ଢେଙ୍କାନାଳ,(ଶୁଭମ ଭୋଳ): – ଢେଙ୍କାନାଳ ସହର କୁଟୁଣିଆ ପାହାଡର ପାଦ ଦେଶରେ ଅବସ୍ଥିତ “ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ” ପରିସରରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରେ ପ୍ରଥମ ଓଡିଆ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ପରିଚିତା ସ୍ୱର୍ଗତା ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ ଅବସରରେ ଶୁକ୍ରବାର ମଧ୍ୟାହ୍ନରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିକୃତି ଉନ୍ମୋଚିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦ୍ୟୁ୍ମ୍ନ ରଥ, ମୁଖ୍ୟ ଅତିଥି ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ବାଦ ପତ୍ରର ସମ୍ପାଦକ ତଥାଗତ ସତପଥୀଙ୍କ ଉପସ୍ଥିତିରେ ନନ୍ଦିନୀ ଦେବୀଙ୍କ ପ୍ରତିମାକୁ ଅନାବରଣ କରିଥିଲେ । ମାର୍ବଲ ଟାଇଲ ଦ୍ୱାରା ସୁସଜ୍ଜିତ ଏକ ମଣ୍ଡପରେ ନନ୍ଦିନୀ ଦେବୀଙ୍କ ପ୍ରତିକୃତି ସ୍ଥାପନା କରାଯାଇଛି । ଉନ୍ମୋଚନ ଉତ୍ସବ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ତଥାଗତ ସତପଥୀ ଯୋଗଦେଇ ନନ୍ଦିନୀ ଦେବୀ ଓଡିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରଥମ ମାର୍ଗଦର୍ଶୀ ଥିଲେ । ଭାରତ ବର୍ଷରେ ସେ ହିଁ ଓଡିଶାରେ ପ୍ରଥମେ ଯାଉତୁକ ନିରୋଧ ଆଇନ ପ୍ରଣୟନ କରିଥିଲେ । ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ହାଇସ୍କୁଲ ସ୍ତରରେ ବୁକ୍ବ୍ୟାଙ୍କ ବ୍ୟବସ୍ଥାର ପ୍ରଚଳନ କରାଇଥିଲେ । ନାରୀଶକ୍ତି ଓ ନାରୀ ସ୍ୱାଭିମାନର ସେ ପ୍ରତୀକ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦ୍ୟୁମ୍ନ ରଥ ସଭାରେ ଅଧ୍ୟକ୍ଷତା କରି କହିଲେ ଯେ, ଢେଙ୍କାନାଳରେ ଶ୍ରମଭିତିକ କଳିଙ୍ଗ ସମବାୟ ସୂତାକଳ, ଷ୍ଟାଡିୟମ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ନନ୍ଦିନୀ ଦେବୀଙ୍କ ନିଜସ୍ୱ ଅବଦାନ ଥିଲା । ତାଙ୍କପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ ପୂର୍ବକ ଢେଙ୍କାନାଳ ମହିଳା ମହାବିଦ୍ୟାଳୟକୁ “ନନ୍ଦିନୀ ଦେବୀ ମହିଳା ମହାବିଦ୍ୟାଳୟ” ନାମରେ ପୁନଃ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦିଅନ୍ତୁ ବୋଲି ସଭାପତି ଶ୍ରୀ ରଥ ନିବେଦନ କରିଥିଲେ ।
ଆବଶ୍ୟକ ହେଲେ ଏଥିପାଇଁ ଅକ୍ଷମ କଲ୍ୟାଣ ସମିତି ପକ୍ଷରୁ ସର୍ବସାଧାରଣରେ ଦସ୍ତଖତ ଅଭିଯାନ କରାଯିବ ବୋଲି ମଧ୍ୟ କହିଥିଲେ । ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲା କାରାଗାର ଅଧିକ୍ଷକ ପ୍ରସନ୍ନ କୁମାର ସାହୁ ଓ ବିଶିଷ୍ଟ ସମାଜସେବୀ ରାଜୀବ ଲୋଚନ ସିଂହଦେଓ, ନନ୍ଦିନୀ ଦେବୀଙ୍କ ସାମାଜିକ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ତାଙ୍କପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ବିଶ୍ୱନାଥ ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବିଦ୍ୟାଳୟ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଅକ୍ଷମ କଲ୍ୟାଣ ସମିତିର ଉପ ସଭାନେତ୍ରୀ ପୂ୍ର୍ଣ୍ଣିମାଚାନ୍ଦ ସାହୁ ଓ ୯ନଂ ୱାର୍ଡ କାଉନସିଲର ସୂର୍ଯ୍ୟପ୍ରତାପ ରାଉତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦୃଷ୍ଟିହୀନ ଶିକ୍ଷକ ରତ୍ନାକର ପ୍ରଧାନଙ୍କ ନିଦେ୍ର୍ଦଶନାରେ ଦୃଷ୍ଟିହୀନ ଛାତ୍ରଗଣ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପରିଚାଳନା କମିଟି ସଭ୍ୟ ପ୍ରଦୀପ କୁମାର ଧଳ ଓ ଶରତ କୁମାର ସାହୁ, ଶିକ୍ଷକ ସରୋଜ କୁମାର ସାମଲ, ବଧିର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ କୁମାର ସାହୁ, ଦୃଷ୍ଟିହୀନ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ସାହୁ, କର୍ମଚାରୀ ବଳରାମ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଏହି ଅବସରରେ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆସିଥିବା ଶ୍ରବଣଯନ୍ତ୍ରକୁ ଅତିଥିମାନେ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ପାଣିଗ୍ରାହୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ସତପଥୀ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଇନଜୀବୀ ମଳୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।