ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ : ଧାରଣାରେ ଖପ୍ରାଖୋଲ ବ୍ଲକ ସ୍ତରୀୟ ଅମଲା ସଙ୍ଘ

ଖପ୍ରାଖୋଲ ୦୪/୦୬ ( ରୁପେନ୍ଦ୍ର ମୁଣ୍ଡା ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ , ଧାରଣାରେ ବ୍ଲକ ସ୍ତରୀୟ ଅମଲା ସଂଘ । ଦୀର୍ଘ ଦିନର ଗ୍ରେଡ୍ ପେ ବୃଦ୍ଧି ଦାବିରେ ଚଳିତ ମାସ ୧ ତାରିଖ ରୁ ସମସ୍ତ ଅମଲା ସମୁହ ଛୁଟିରେ ଯିବା ପରେ ସରକାରୀ ଦପ୍ତରରେ ଶୂନଶାନ୍ ସ୍ଥିତି । ଖପ୍ରାଖୋଲ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଆଜି ପୁଣି ଖପ୍ରାଖୋଲ ବ୍ଲକ ସ୍ତରୀୟ ଅମଲା ସଙ୍ଘ ସଦସ୍ୟ ମାନେ ରାଜ୍ୟ ଅମଲାମଞ୍ଚ ର ଉପଦେଷ୍ଟା ବ୍ରଜବନ୍ଧୁ ଠାକୁରଙ୍କ ନେତୃତ୍ୱରେ ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବେନର ଧରି ନାରା ଦେଇ ନିଜର ଦବଦବା ଜାହିର କରିଥିଲେ ଫାଇଲ ଓ ଟେବୁଲ ଛାଡ଼ି ସମୁହ ଆନ୍ଦୋଳନରେ କର୍ମଚାରୀ । ଏଠି ଅନ୍ୟ ଦିନ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଅଫିସକୁ ଆସି ନିରାଶ ହୋଇଛନ୍ତି ସାଧାରଣ ଲୋକେ। ଅମଲାଙ୍କ ଅନୁପସ୍ଥିତି ପାଇଁ ଖାଲି ହାତରେ ଫେରିବାକୁ ପଡ଼ିଛି । ଏପଟେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ । ଅମଲା ମଞ୍ଚର ଦାବି ଯେ, ୨୦୧୭ ପରେ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ୍ ପେ ବୃଦ୍ଧି କରାଯାଇନି । ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ୍ ପେ, ଏବେ ବି ବଳବତ୍ତର ରହିଛି। ତେବେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ କରୁଥିବା ସେମାନେ ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି । ଏଥିପାଇଁ ଗତ ମେ ପହିଲାରୁ ଗୋଟିଏ ମାସ ପାଇଁ ସରକାରଙ୍କୁ ଅଲଟିମେଟମ୍ ଦେଇଥିଲା ଅମଲା ସଂଘ । ସେହିଭଳି ମେ ୨୨ ରୁ ୩୧ ତାରିଖ ଯାଏଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବା ସହ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ ଦିନ ପାଇଁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଥିଲା । ତା ଭିତରେ ସରକାର ସେମାନଙ୍କ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନନେବାରୁ ଆଜିକୁ ତିନିଦିନ ହେଲା ସିଟ ଛାଡ, କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଅମଲା ମଞ୍ଚ । ଏହି ଆନ୍ଦୋଳନରେ ରମାକାନ୍ତ ଭୋଇ ,ମାଧବ ସାହୁ , ରବିକାନ୍ତ ଲୁହା , ଜଗଦୀଶ ବିଶ୍ୱାଳ , ନେତ୍ରାନନ୍ଦ ବେହେରା , ଅକ୍ଷୟ କୁମାର ସାହୁ , ଅଶ୍ୱିନୀ କୁମାର ବାରିକ , ହରିଶ୍ଚନ୍ଦ୍ର ଭୁଏ , କାହ୍ନୁ ଚରଣ ସାହୁ , ମହେଶ୍ୱର ବଗର୍ତ୍ତୀ , ରଞ୍ଜନ ଥନାପତିଙ୍କ ସମେତ ଖପ୍ରାଖୋଲ ବ୍ଲକର ସମସ୍ତ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।