ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

ଜୟପାଟଣା / ମୁଖିଗୁଡ଼ା(ଅରୁଣ କୁମାର ସାହୁ) :- ଜୟପାଟଣା ବ୍ଲକ ଅଧିନସ୍ଥ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ମୁଡ୍ରାଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ସୂଚନା ହସ୍ତଗତ ହୋଇଛି । ଗ୍ରାମର କମଳା ନାଏକ (୧୯) ତାଙ୍କ ମା,ବାପା ଏବଂ ଗ୍ରାମର ଆଉ କିଛି ଶ୍ରମିକଙ୍କ ସହିତ ମିଶି ସ୍ଥାନୀୟ ବରଗଛ ବନ୍ଧକୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଚାଲୁଥିବା ମାଟି କାମ କରିବା ପାଇଁ ଯାଇଥିଲେ । ହଠାତ୍ ବର୍ଷା ଘଡଘଡି ହେବାରୁ ଗ୍ରାମକୁ ଫେରୁଥିବା ସମୟରେ ତାଙ୍କୁ ବଜ୍ରାଘାତ ହୋଇଛି । ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଙ୍କ ପ୍ରତିନିଧି ଘଟଣା ସ୍ଥଳକୁ ପହଞ୍ଚି ତତ୍କ୍ଷଣାତ ଯୁବତୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଯୁବତୀ ଜଣକୁ ଡାକ୍ତର ମୃତ ଘୋଷିତ କରିଥିଲେ । ଘଟଣା ସ୍ଥଳରେ ମୁଖୀଗୁଡା ଫାଣ୍ଡି ଅଧିକାରୀ ପହଞ୍ଚିଥିଲେ ଏବଂ ଜୟପାଟଣା ପୋଲିସ ଏହାର ତଦାରଖ କରିଛନ୍ତି । ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟରେ ଗୋଟିଏ ନିରୀହ ପରିବାର ନିଜ ସଦସ୍ୟଙ୍କୁ ହରାଇ ଥିବାରୁ ତାଙ୍କର ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । ଏହି ଦୁର୍ବଳ ମୁହୂର୍ତ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଇ ଶୋକ ସନ୍ତପ୍ତ ପରିବାରକୁ ସରକାରଙ୍କର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଥିବା ଅନୁକମ୍ପା ରାଶି ପରିବାରକୁ ପ୍ରଦାନ କରିବାକୁ ଦାବି ହୋଇଛି । ଯେହେତୁ ସେହି ଝିଅ ଏନ ଆର ଇ ଜି ଏସ ଯୋଜନାରେ କାର୍ଯ୍ୟ କରିବାକୁ ଯାଇଥିଲେ ତେଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇ ନିୟମାନୁଯାଇ ସମସ୍ତ ସୁବିଧା ମୂହିୟା କରାଇବାରେ ତତ୍ପରତା ଦେଖାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।