କୃଷିଗଣନା ସମ୍ପର୍କିତ ଜିଲ୍ଲାସ୍ତରୀୟ ତାଲିମ ଶିବିର

ଢେଙ୍କାନାଳ ସଦର , ୧୫ / ୨(ଶୁଭମ ପାଣି) : ଜିଲ୍ଲାସ୍ତରୀୟ ଏକାଦଶତମ କୃଷିଗଣନା ସମ୍ପର୍କିତ ଦୁଇଦିନିଆ ତାଲିମ ଶିବିର ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ଯୋଜନା ଓ ସଂଯୋଜନା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର , ତନ୍ମୟ କୁମାର ଦରୱାନ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶିବିରକୁ ଉଦଘାଟନ କରିବା ସହିତ କୃଷି ଗଣନାର ଉଦ୍ଦେଶ୍ୟ , ଆଭିମୁଖ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । କୃଷି ଗଣନାର ଗୁଣାତ୍ମକ ତଥ୍ୟ ସଂଗ୍ରହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରିବାକୁ ସମସ୍ତ ଗଣନାକାରି ଅଧିକାରୀ , ପରିଦର୍ଶକ ଏବଂ ତହସିଲ ନୋଡାଲ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲା ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦ୍ଦେଶକ ସରୋଜ କୁମାର ସେଠି ଏହି ଦୁଇଦିନିଆ ତାଲିମ ଶିବିରରେ ଉପସ୍ଥିତ ରହି କୃଷି ଗଣନା ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହ ତାଲିମ ଶିବିରକୁ ପରିଚାଳନା କରିଥିଲେ । ଏଇ ତାଲିମ ଶିବିରରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ତଥା ରାଜ୍ୟ ନୋଡାଲ ଅଫିସର ଶ୍ରୀ ନିର୍ମଳ କୁମର ସାହୁ ଏବଂ ହରମୋହନ ବିଶ୍ବାଳ , ଉପ ନିର୍ଦ୍ଦେଶକ ତାଲିମ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲାର ସମୁଦାୟ 1239 ଟି ଗ୍ରାମ ଓ ସହରାଞ୍ଚଳରେ ଡିଜିଟାଲ ଭାବେ ମୋବାଇଲ ଆପରେ ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯିବ । ଏହି ସର୍ଭେରେ ଜମି ମାଲିକାନା , ଜମିର ଆକାର ପ୍ରକାର , ବୃହତ , କ୍ଷୁଦ୍ର ଓ ନାମମାତ୍ର ଚାଷୀ , ବ୍ୟକ୍ତିଗତ , ଯୁଗ୍ମ ଓ ଆନୁଷ୍ଠାନିକ ଯୋତ ଇତ୍ୟାଦି ଉପରେ ତଥ୍ୟ ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବାପାଇଁ ଜିଲ୍ଲାର ୮ଟି ତହସିଲର ଅମିନ , ଆରଆଇ , ସହକାରୀ ଆରଆଇ , ଜିଲ୍ଲା କୃଷିକାର୍ଯ୍ୟଳୟର ଭିଏଡବୁ ତଥା ଜିଲ୍ଲା ପରିସଂଖ୍ୟାନ ବିଭାଗର କ୍ଷେତ୍ର କର୍ମଚାରୀ , କ୍ଷେତ୍ର ପରିଦର୍ଶକ ତଥା ଷ୍ଟାଟିଷ୍ଟିକାଲ ଅଫିସରମାନେ କାର୍ଯ୍ୟ କରିବେ । ଏହି ଦୁଇଦିନିଆ ତାଲିମ ଶିବିରର ପ୍ରଥମଦିନ ୧୪ ତାରିଖରେ ହିନ୍ଦୋଳ , ଓଡ଼ପଡ଼ା , ସଦର , ଭୁବନ ତହସିଲ ଏବଂ ୧୫ ତାରିଖରେ ଗଁଦିଆ , କାମାକ୍ଷାନଗର , ପରଜଙ୍ଗ , କଙ୍କଡ଼ାହାଡ଼ ତହସିଲର ସମସ୍ତ ଗଣନାକାରୀ , ପର୍ଯ୍ୟବେକ୍ଷକ ଓ ତହସିଲ ନୋଡାଲ ଅଫିସରମାନେ ଯୋଗ ଦେଇଥିଲେ । ପରିସଂଖ୍ୟନ କାର୍ଯ୍ୟାଳୟର ପରିସଂଖ୍ୟାନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ , ସହକାରୀ ପରିସଂଖ୍ୟାନ ଅଧିକାରୀ ପ୍ରଫୁଲ୍ଲ କିଶୋର ବଟ , ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ଦେବାଶିଷ ପଟ୍ଟନାୟକ , ଶ୍ରଦ୍ଧାଞ୍ଜଳୀ ନାୟକ ସହଯୋଗ କରିଥିଲେ ।