ଆବାସ ଗୃହ ଚଞ୍ଚକତାକୁ ନେଇ ବିଜେପିର ଧାରଣା।

ଗଞ୍ଜାମ,୨୪/୦୧(ସୁନିଲ କୁମାର ବେହେରା): ସାରା ରାଜ୍ୟରେ ଆବାସ ଗୃହ ଯୋଜନାକୁ ନେଇ ଏବେ ତାତି ଜୋର୍ ଧରିଛି। ଯୋଗ୍ଯ ହିତାଧିକାରୀ ମାନଙ୍କୁ ଆବାସ ଗୃହ ମିଳୁ ନ ଥିବା ବେଳେ ବଡ଼ ବଡିଆ ତଥା ଧନୀକ ଶ୍ରେଣୀର ବ୍ଯକ୍ତି ମାନେ ଚଞ୍ଚକତା କରି ଆବାସ ଗୃହ ହାତେଇ ନେବାରେ ସକ୍ଷମ ହେଉଛନ୍ତି। ଯାହାକୁ ନେଇ ଏବେ ପ୍ରତିବାଦ ତୀବ୍ର ହେଉଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବ୍ଳକର ପାଣ୍ଡିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆବାସ ଗୃହ ଯୋଗାଇ ଦେବା ଦାବିରେ ଗଣଧାରଣା ଦେଇଛି ବିଜେପି। ଯୋଗ୍ଯ ହିତାଧିକାରୀ ମାନଙ୍କୁ ତୁରନ୍ତ ଆବାସ ଗୃହ ଯୋଜନାରେ ସାମିଲ କରା ନଗଲେ ଆନ୍ଦୋଳନ ବ୍ଯାପକ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ।ବର୍ତ୍ତମାନ ପ୍ରତି ପଞ୍ଚାୟତ ମାନଙ୍କରେ ଆବାସ ଗୃହ ହିତାଧିକାରୀ ତାଲିକା ସାର୍ବଜନୀନ କରାଯାଉଥିବା ବେଳେ ଉକ୍ତ ପଞ୍ଚାୟତରେ ତାଲିକା ମରାଯାଇନି। ଅପରପକ୍ଷେ ଉକ୍ତ ପଞ୍ଚାୟତରେ ମାତ୍ର ୧୦ ଜଣ ହିତାଧିକାରୀଙ୍କ ନାମ ଆବାସ ତାଲିକାରେ ଥିବା ପଞ୍ଚାୟତ ପିଇଓ କହିଛନ୍ତି। ଯାହାକୁ ନେଇ ତେଜୁଛି ଅସନ୍ତୋଷ। ବିଜେପି ପକ୍ଷରୁ ଏନେଇ ଏକ ଦାବିପତ୍ର ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ବିଜେପି କର୍ମକର୍ତ୍ତା ମାନେ ବିଭିନ୍ନ ନାରାବାଜି ଦେବା ସହିତ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ଯୋଗ୍ଯ ହିତାଧିକାରୀଙ୍କୁ ସାମିଲ୍ କରିବା ପାଇଁ ଦାବି କରିଛନ୍ତି। ଅପରପକ୍ଷେ ଭତ୍ତା, ରାସନ କାର୍ଡରେ ଦୁର୍ନୀତିକୁ ନେଇ ମଧ୍ୟ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ବିଜେପି ରାଜ୍ୟ ପରିଷଦ ସଦସ୍ୟ ପ୍ରତାପ ନାୟକଙ୍କ ନେତୃତ୍ବରେ ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, ସାଧାରଣ ସମ୍ପାଦକ ନାରାୟଣ ଡାକୁଆ, ଗୌରୀଶଙ୍କର ବାହିନୀପତି, ପାଣ୍ଡୁରାଙ୍ଗା ରାଓ, ରାଜୀବ ଲୋଚନ ବେହେରା, ଏସ୍ ସି ମୋର୍ଚ୍ଚା ସଭାପତି ଭାଗିରଥି ଦାସ, ସମାଜସେବୀ ବିଶ୍ବଜିତ ପାଢୀଙ୍କ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ରହି ଏହି ଧାରଣାରେ ସାମିଲ ହୋଇଥିଲେ।