ରାୟଗଡ: ୨୭ /୧୨ (ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ ଜିଲ୍ଲା ପ୍ରଶାସନ ଅଧିନସ୍ଥ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଆଜି ରାୟଗଡ ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲାର ସମସ୍ତ ୧୬ଟି ଥାନାର ସ୍ଵତନ୍ତ୍ର ପୋଲିସ ଅଧିକାରୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା Iରାୟଗଡ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଏହି କର୍ମଶାଳାରେ ଯୋଗଦେଇ ଶିଶୁ, କିଶୋର ଓ କିଶୋରୀ ମାନଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି ମତ ପୋଷଣ କରିଥିଲେ । ଏହି କର୍ମଶାଳାରେ ସାଧନ କର୍ମୀ ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ଓକିଲ ତଥା କଟକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ଯୋଗ ଦେଇ କିଶୋର ନ୍ୟାୟ ଆଇନ, ୨୦୧୫ ଓ ଶିଶୁ ମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବା ଆଇନ, ୨୦୧୨ ବିଷୟରେ ବିସ୍ତ୍ରୁତ ଆଲୋଚନା କରିବା ସହିତ ଆଇନ ଅନୁସାରେ ସ୍ଵତନ୍ତ୍ର ପୋଲିସ ୟୁନିଟ ଓ ଅନ୍ୟ ପୋଲିସ ଅଧିକାରୀ ମାନଙ୍କ ଦାୟିତ୍ଵ ଓ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଏହି କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଯେ ଶିଶୁ, କିଶୋର ଓ କିଶୋରୀମାନଙ୍କ ସୁରକ୍ଷା ପାଇଁ ରାୟଗଡ ଜିଲ୍ଲା ପ୍ରଶାସନ ସବୁବେଳେ ତତ୍ପରତା ଦେଖାଇ ଆସିଛି ଏବଂ ଶିଶୁ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଅଂଶୀଦାର ମାନଙ୍କ ଭୂମିକା ଓ ଦାୟିତ୍ଵ ବିଷୟରେ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଚେତନ କରିବା ନିମନ୍ତେ ବିଭିନ୍ନ କାର୍ମଶାଳା ମାନ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଵତନ୍ତ୍ର ପୋଲିସ ୟୁନିଟର ଅଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଛି । ଏହା ସହିତ ଆମ ପୋଲିସ ସମିତି ବୈଠକରେ ଓ ପୋଲିସ ବିଭାଗ ଦ୍ଵାରା ଆୟୋଜିତ ସଭା ମାନଙ୍କରେ ଶିଶୁ ସୁରକ୍ଷା, ଶିଶୁ ଯୌନ ନିର୍ଯ୍ୟାତନା, ଶିଶୁ ଚାଲାଣ, ବାଲ୍ୟ ବିବାହ ରୋକିବା ଭଳି ବିଷୟ ଗୁଡିକ ଉପରେ ନିୟମିତ ଆଲୋଚନା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀମତୀ ଉଲ୍ଲାସ ମାଝି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଶିଶୁ ମଙ୍ଗଳ ସମିତିର ଅନ୍ୟ ସଦସ୍ୟ/ ସଦସ୍ୟା, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଶ୍ରୀମତୀ ପ୍ରଣତୀ ପାତ୍ର, ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ଓ ଅରୁଣା ସଂଗଠନର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଗଣ ପରିଚାଳନା କରିଥିଲେ ।