ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ କର୍ମଚାରୀ ଅଭାବ ଯୋଗୁଁ ରୋଗୀ ସେବା ଠପ୍ ।

ରାୟଗଡା,(ସିଦ୍ଧାର୍ଥ ଦାଶ) : ରାୟଗଡା ଜିଲ୍ଲାର  ଗୁଣପୁର, ଗୁଡ଼ାରୀ,ରାମାନାଗୁଡ଼ା,ପଦ୍ମପୁର ବ୍ଲକର ଜନସାଧାରଣ ନିର୍ଭର କରୁଥିବା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ କର୍ମଚାରୀ ଅଭାବ ଯୋଗୁଁ ରୋଗୀ ସେବା ଠପ୍ ହୋଇ ପଡ଼ିଛି। ବର୍ଷ ବର୍ଷ ଧରି ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସ ପଦବୀ ଗୁଡିକ ଖାଲି ପଡିଥିଲେ ମଧ୍ୟ ଏହାକୁ ପୁରଣ୍ କରିବା ଦିଗରେ ପ୍ରଶାସନ ର ନିଘା ନାହିଁ । ଏଠାରେ ପଦବୀ ଗୁଡିକ ଖାଲି ପଡିଥିବା ବେଳେ ଏଠାରୁ କିଛି କର୍ମଚାରୀ ଙ୍କୁ ଅନ୍ୟତ୍ର ଡେପୁଟେସନ କରି କର୍ମଚାରୀ ଅଭାବକୁ ସ୍ଥାନୀୟ ପ୍ରଶାସନ ଦ୍ଵିଗୁଣିତ କରୁଛି । ତଥାପି ଜନ ପ୍ରତିନିଧି ମାନେ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ପଦବୀ ଗୁଡିକ ପୂରଣ ନିମନ୍ତେ ସହରବାସୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ସ୍ଵର ଉଠାଉ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖାତିର୍ କରୁନାହିଁ । ୧୯ ଜଣ ସ୍ଥାୟୀ ଡାକ୍ତର ଙ୍କ ଆବଶ୍ୟକତା ଥିବା ବେଳେ ରହିଛନ୍ତି ମାତ୍ର୍ ୬ ଜଣ ଡାକ୍ତର ।  ବିଶେଷଜ୍ଞ ଡାକ୍ତର ପଦବୀ ବର୍ଷ ବର୍ଷ ଧରି ଖାଲି ପଡିରହିଛି । ସେହି ପରି ୭ ଜଣ ଲେବ୍ ଟେକନିସିଆନ ଙ୍କ ବଦଳରେ ରହିଛନ୍ତି ୩ ଜଣ ଏବଂ ୩୮ ଜଣ ଷ୍ଟାଫ୍ ନର୍ସ ଙ୍କ ସ୍ଥାନରେ ମାତ୍ର ରହିଛନ୍ତି ୧୫ ଜଣ । ଏକ୍ସ ରେ ବିଭାଗ ନିମନ୍ତେ ତିନି ଜଣ ଆବଶ୍ୟକ ଥିବାବେଳେ ରହିଛନ୍ତି ମାତ୍ର ଜଣେ । ଏସବୁ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ଅତିଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏନେଇ ଏକ ଜନ ଆନ୍ଦୋଳନ ମୁଣ୍ଡ ଡଟେକିବା ପ୍ରସଙ୍ଗକୁ ଦୂରେଇ ଦିଆଯାଇ ନପାରେ । କର୍ମଚାରୀ ଅଭାବ ଯୋଗୁଁ ଗତ ୨୦୧୯ ମସିହା ରୁ ଜନ ସାଧାରଣ ଆବେଦନ କରିଥିବା ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ଏଯାବତ ପାଇ ପାରିନଥିବା ଅଭିଯୋଗ ହେଉଛି । ସମସ୍ତ ସରକାରୀ କାର୍ଯ୍ୟ ରେ ଏହି ପ୍ରମାଣ ପତ୍ର ର ବାଧ୍ୟତା ମୂଳକ ଥିବାରୁ ଆବେଦନ କାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ତତ ପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଲେ ସମସ୍ୟା ଦୂର ହୋଇପାରିବ ବୋଲି ଦାବୀ ହେଉଛି ।