ସର୍ବଭାରତୀୟ ଫୁଟବଲ୍ ସାଉଥ ଇଷ୍ଟର୍ଣ୍ଣ ରେଲୱେକୁ ହରାଇ “ଫାଓ’ସେମିରେ

ଢେଙ୍କାନାଳ,୨୪ା୧୧(ଶୁଭମ ପାଣି) : ଢେଙ୍କାନାଳର ମୁଖ୍ୟ ଷ୍ଟାଡିୟମ୍ଠାରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫୁଟବଲ୍ ଆମନ୍ତ୍ରଣ ପ୍ରତିଯୋଗିତାର ଗୁରୁବାର ଆଉ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍ ସାଉଥ ଇଷ୍ଟର୍ଣ୍ଣ ରେଲୱେ ସହ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡିଶା (ଫାଓ) ମଧ୍ୟରେ ଖେଳାଯାଇଥିଲା । ଏଥିରେ ଫାଓ ୩-୦ ଗୋଲ୍ରେ ରେଲୱେକୁ ହରାଇଥିଲା । ଏଥିସହ ସେମିଫାଇନାଲ୍ରେ ଖେଳିବା ପାଇଁ ଚତୁର୍ଥ ଦଳ ଭାବେ ନିଜର ସ୍ଥାନ ପକ୍କା କରିପାରିଛି । ବିଜୟୀ ଦଳର ଆନନ୍ଦ ଓରାମ ଦୁଇଟି ଗୋଲ୍ ଦେଇଥିବାବେଳେ ଅରବିନ୍ଦ ଲାକ୍ରା ଗୋଟିଏ ଗୋଲ୍ ଦେଇଥିଲେ । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ସାଉଥ ଇଷ୍ଟର୍ଣ୍ଣ ରେଲୱେ ଖେଳାଳୀ ଗୋଲ୍ ପରିଶୋଧ କରିପାରିନଥିଲେ । ବିଜୟୀ ଦଳର ଆନନ୍ଦ ଓରାମ୍ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ । ମୁଖ୍ୟ ରେଫରୀ ରାଜେନ୍ଦ୍ର ମହାନ୍ତି, ସହରେଫରୀ ଅରୁଣ ନାୟକ, ଅନିଲ ପ୍ରସାଦ ନନ୍ଦ ଓ ଶଶିକାନ୍ତ ଦାଶିଆ ଖେଳକୁ ପରିଚାଳନା କରିଥିବାବେଳେ ମାୟାଧର ସାହୁ ମ୍ୟାଚ୍ କମିଶନର ଭାବେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରେମାନନ୍ଦ ମହନ୍ତ ଓ ସରୋଜ କୁମାର ପାଢୀ ଧାରାବିବରଣୀ ଦେଇଥିଲେ । ଖେଳ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡିଶା ଏବଂ ଓଡିଶା ଆଥେଲେଟିକ୍ ୍ ଆସୋସିଏସନ୍ର ସାଧାରଣ ସଂପାଦକ ଆଶୀର୍ବାଦ ବେହେରା ଓ ସମ୍ମାନିତ ଅତିଥି ଭାବେ ଫାଓର ଉପସଭାପତି ପୂର୍ବତନ ସନ୍ତୋଷ ଟ୍ରଫି କ୍ୟାପ୍ଟେନ୍ ଦିଲ୍ଲୀପ ସାହୁ ଓ ଫାଓର କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡାସଂଘ ଉପସଭାପତି ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।