ଗୁଣୁପୁର : ସହର ଆଡକୁ ମାଡି ଆସୁଛନ୍ତି ହାତୀ ପଲ ; କାମ ଦେଉନି ବନ ବିଭାଗ ର ସାଇରନ

ଗୁଣୁପୁର, (ସିଦ୍ଧାର୍ଥ ଦାସ) ରାତି ପାହିଲା ବେଳକୁ ଠିକଣା ବଦଳାଉଛି ହାତୀପଲ। ଗତକାଲି ଗୁଣପୁର ସହର ନିକଟସ୍ଥ ନୂଆଗାଁ ଜଙ୍ଗଲରେ ଥିବାବେଳେ ଆଜି ସହର ଭିତରକୁ ଆସି ପହଞ୍ଚିଛନ୍ତି ଏହି ପଲ। ସହରର ମରାଠିଗୁଡା ସେଫାଳି ପାହାଡରେ ରହିଥିବା ଦେଖିବାକୁ ମିଳିଛି। ଏହି ଖବର ପାଇ ଆଜି ସକାଳଠାରୁ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା କାର୍ଯ୍ୟକୁ ବ୍ୟାପକ କରାଯାଇଛି। ସାଇରନ ବଜାଇବା, ବାଜା ବଜାଇବା, ବାଣ ଫୁଟାଇବା ଭଳି ନାନା ପ୍ରକାର ପଦକ୍ଷେପ ନିଆଯାଇଛି। ହେଲେ ହାତୀପଲକୁ ଏସବୁରେ କିଛି ପ୍ରଭାବ ପଡିନି। ସେମାନେ ଆରାମରେ ସେଫାଳି ପାହାଡର ଶିବ ମନ୍ଦିର ବିପରୀତ ଦିଗ ତଳ ପାର୍ଶ୍ଵରେ ରହି ସେମାନଙ୍କ ଆହାର ଖାଇ ଚାଲିଛନ୍ତି। ହେଲେ କେତେବେଳେ ବି ଏହି ପଲ ଚାକଚକ୍ୟ ସହର ଭିତରକୁ ପ୍ରବେଶ କରିଦେଲେ କଥା ସରିଯିବ। ଜନ ଗହଳି ପୁର୍ଣ୍ଣ ସାହି ଗଳିକନ୍ଦିରେ ଥରେ ହାତୀପଲ ପ୍ରବେଶ କଲେ କେତେ ଯେ ଧନ ଜୀବନ ନଷ୍ଟ ହେବ ତାହା କଳନା କରିବା ମୁସ୍କିଲ। ସେଭଳି ପରିସ୍ଥିତିରେ ହାତୀ ମାନଙ୍କ ଜୀବନ ମଧ୍ୟ ଯାଇପାରେ। ଏମିତି ହେଲେ ସହର ଭିତରରୁ ନା ଘଉଡାଇ ହେବ, ନା ଟ୍ରାଙ୍କୁଲାଇଜ୍ କରି ହବ । ଏଣୁ ଏବେଠାରୁ ବନ ବିଭାଗ ନାନା ପ୍ରକାର ପଦକ୍ଷେପ ନେଉଥିଲେ ମଧ୍ୟ ସେସବୁ ହାତୀପଲ ଉପରେ କିଛି ପ୍ରଭାବ ପଡୁନଥିବାରୁ ବନ ବିଭାଗ ଚିନ୍ତାରେ ପଡିଛି। ଅନ୍ୟପକ୍ଷେ ହାତୀ ଦେଖିବାକୁ ଆଜି ଅପରାହ୍ନଠାରୁ ସେଫାଳି ପାହାଡ ନିକଟରେi ଲୋକଙ୍କ ଭିଡ ଜମି ଥିବାରୁ ତାହା ବନ ବିଭାଗ ପାଇଁ ଆଉ ଏକ ସମସ୍ୟା ହୋଇଛି।