‘କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ’ର ପ୍ରଚେଷ୍ଟା: ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ବସ୍ ଚଳାଚଳ ଆରମ୍ଭ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ‘କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ’ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଶୁକ୍ରବାରଠାରୁ ଚଳାଚଳ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବସଟି ଫୁଲବାଣୀରୁ ବାହାରି ତିଳକ ପଡ଼ା, କଲାଡ଼ି, ଘୋଡାଗାଡୁ, ଭୁକ୍ତା କନାଲି, ବଡଭୁଇଁ,ଆଡାସି ପଡ଼ା, ଲାଇନ ପଡ଼ା ଦେଇ ଚକାପାଦ ଯିବାକୁ ସ୍ଥିର ହୋଇଛି । ଏହି ଗ୍ରାମ ଗୁଡ଼ିକୁ ବସ ଯୋଗାଯୋଗ ନ ଥିବାରୁ ଗ୍ରାମବାସୀ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁ ଗ୍ରାମରୁ ଶହ ଶହ ଲୋକ ନିଜର ଜୀବନ ଜୀବିକା ପାଇଁ ଫୁଲବାଣୀ ସହର ଉପରେ ନିର୍ଭର କରିଥାନ୍ତି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ, ଉପ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ ସଭ୍ୟ ଦିଲୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଶତ୍ରୁଘନ ମହାନ୍ତି, ପ୍ରସନ୍ନ ପଟ୍ଟନାୟକ, ଫିଲିମନ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ରାଜକିଶୋର ବେହେରା, ପ୍ରସନ୍ନ ସାହାଣୀ, ସର୍ବେଶ୍ଵର ମିଶ୍ର ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବସ ଚଳାଚଳ ଶୁଭାରମ୍ଭ ପରେ ପ୍ରତ୍ୟେକ ଗ୍ରାମରେ ଜନ ସାଧାରଣ ମଧ୍ୟରେ ଉତ୍ସାହ ଦେଖା ଦେବା ସହ ପ୍ରତ୍ୟେକ ଗ୍ରାମର ଗ୍ରାମବାସୀ ମାନେ ରାସ୍ତାରେ ବନ୍ଦାପନା କରିଥିଲେ । ଗତ ୨ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଫୁଲବାଣୀ ଘରୋଇ ବସ ମାଲିକ ସଂଘ ସହାୟତାର ହାତ ବଡ଼ାଇ ଥିଲା।