ବିଦ୍ୟାଳୟ କାନ୍ଥ ପଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ

ରାୟଗଡା(ପ୍ରଫୁଲ୍ଲ କୁମାର ବେହେରା): ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ଶିକ୍ଷା କ୍ଷେତ୍ରରେ ସ୍ବଚ୍ଛତା ପାଇଁ 5T ଯୋଜନାରେ ସ୍କୁଲ ରୂପାନ୍ତରିକରଣ କରାଯାଉଥିବାବେଳେ ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିଦ୍ୟାଳୟ କାନ୍ଥ ପଡି ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଛାତ୍ରୀଜଣଙ୍କ ନାମ ଆହୁତି ଶବର ଓ ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ବୋଲି ଜଣାପଡିଛି । ସୂଚନା ମୁତାବକ ବିଚିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶୌଚାଳୟ ଯିବା ସମୟରେ ବିଦ୍ୟାଳୟ ଗେଟ୍‌ କାନ୍ଥଟି ପଡିଯାଇଥିଲା ।

ସଙ୍ଗେ ସଙ୍ଗେ ନିକଟରେ କାମ କରୁଥିବା କିଛି ଶ୍ରମିକ ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଆହତ ଛାତ୍ରୀଙ୍କୁ ପ୍ରଥମେ ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପଦ୍ମପୁର ଡାକ୍ତର ଗୁଣୁପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ ।ତେବେ ଗୁଣୁପୁର ଚିକିତ୍ସାଳୟରେ ଡାକ୍ତର ଆହୁତିକୁ ମୃତ ଘୋଷଣା କରିଥିଲେ । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଅବହେଳା ପାଇଁ ନିରୀହ ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଠିକାଦାରଙ୍କ ଅସାବଧାନତା ଯୋଗୁଁ ଏହିଭଳି ଘଟଣା ଘଟିଥିବା ଜଣାପଡିଛି । କାରଣ ବିଦ୍ୟାଳୟ କାନ୍ଥଟି ବିନା ପିଲରରେ ହେଇଥିଲା । ଯାହାଫଳରେ ସେହି କାନ୍ଥଟି ଗେଟର ଓଜନ ସମ୍ଭାଳି ନପାରି ପଡିଯାଇଥିଲା । ସେପଟେ ସ୍କୁଲକୁ ଯାଇ ପଦ୍ମପୁର ପୋଲିସ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ପ୍ରାଥମିକ ତଦନ୍ତ କରିଛନ୍ତି ।