ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ

ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଖଲ୍ଲିକୋଟ ର ଭୂତପୂର୍ବ ରାଜା ଏବଂ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ। ସେ ୧୩ ଜାନୁଆରୀ ୧୯୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ।ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଚାରିଥର କାର୍ଯ୍ୟ କରିଥିଲେ।୧୯୩୬ ସ୍ୱାଧୀନତା ପୂର୍ବର ପ୍ରଥମ ଓଡ଼ିଶା ବିଧାନ ସଭାକୁ କୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଭାରତ ସ୍ୱାଧୀନ ହେବା ପରେ ୧୯୫୨, ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଦଳା ଓ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।ସେ ୧୯୫୭ ମସିହାରୁ ୧୯୫୯ ମସିହା ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ରହିଥିଲା।ଓଡିଆ ଭାଷା, ସାହିତ୍ୟର ପ୍ରସାର ସହ ଶିକ୍ଷା ଏବଂ ସମାଜ ସଂସ୍କାର କ୍ଷେତ୍ରରେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅତୁଳନୀୟ ଅବଦାନ ରହିଛି ।ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଓଡ଼ିଶାର ରାଜନୀତି, ସମାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାଂସ୍କୃତିକ ପରମ୍ପରାକୁ ରୁଦ୍ଧିମନ୍ତ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।ସେ ଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣର ପ୍ରମୁଖ ବିନ୍ଧାଣୀ ତଥା ଉତ୍କଳ ସମ୍ମିଳନୀର ଅନ୍ୟତମ କର୍ଣ୍ଣଧାର।ରାଜାବାହାଦୁରଙ୍କର ଗଣତନ୍ତ୍ରରେ ଦୃଢ଼ ବିଶ୍ୱାସ ଥିଲା । ଲୋକଙ୍କ କଲ୍ୟାଣ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା।ନାରୀଶିକ୍ଷା,ଭିତ୍ତିଭୂମିର ବିକାଶ ଓ ଜନତାଙ୍କ ଉନ୍ନତି ପାଇଁ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ।ଜଳସେଚନ, ଗମନାଗମନ, ଆର୍ଥିକ, ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ।
ଲଣ୍ଡନରେ ଆୟୋଜିତ ତୃତୀୟ ଗୋଲଟେବୁଲ୍ ବୈଠକରେ ରାଜା ରାମଚନ୍ଦ୍ର ଯୋଗଦେଇ ଓଡ଼ିଆ ଭାଷାଭାଷୀ ଅଂଚଳର ମିଶ୍ରଣ ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ।ଓଡ଼ିଆ ଭାଷା ଆନ୍ଦୋଳନ ଇତିହାସରେ ଏକ ଅମ୍ଳାନ ଅଧ୍ୟାୟ ସୃଷ୍ଟି କରିଥିବା ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଏ ଜାତିର ଗର୍ବ ଓ ଗୌରବ।ସେହି ଯୁଗପୁରୁଷ ୨୭ ଫେବୃୟାରୀ ୧୯୬୩ ମସିହାରେ ଏ ଦୁନିଆ ଛାଡ଼ି ଚ଼ାଲିଯାଇଥିଲେ।
“ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା,ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ,ରାଜା ରାମଚ଼ନ୍ଦ୍ର ମର୍ଦ୍ଦରାଜ ସେହିପରି ତାଙ୍କର ସମାଜ ସଂସ୍କାର,ରାଜନୈତିକ ପାରଦର୍ଶିତା,ସାହିତ୍ୟ ର ପ୍ରସାର ଏବଂ ସମାଜସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଓଡ଼ିଶା ର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଓଡ଼ିଶାର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ।
ଦିନ ଯାଏ,ଚ଼ିହ୍ନ ରହେ।ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ,ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ,କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ।ସେହି ଯୁଗପୁରୁଷ ଙ୍କ କର୍ତ୍ତବ୍ୟନିଷ୍ଠା,ଓଡ଼ିିଶା ର ରାଜନୀତି,ଶିକ୍ଷା ପ୍ରତି ଅବଦାନ ଏବଂ ଆଦର୍ଶ ଆଜିର ଯୁବ ଓ ଛାତ୍ର ସମାଜ ପାଇଁ ପ୍ରେରଣା ହୋଇ ରହିବ।

ଲେଖକ – ବିଶ୍ବବିଜୟୀ ଦାଶ
ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍ ନଂ – ୭୫୨୦୩୫
ମୋବାଇଲ୍ ନଂ- ୬୩୭୦୨୦୮୪୨୮

ବିଶ୍ବବିଜୟୀ ଦାଶ