ଗୁଣୁପୁର, ( ସିଦ୍ଧାର୍ଥ ଦାସ) ୫୨ ବର୍ଷ ପରେ ଗୁଣପୁର – ଥେରୁବାଲି ରେଳ ଲାଇନ୍ ଆଶା ଉଜ୍ଜୀବିତ୍ ହୋଇଛି। କେନ୍ଦ୍ର ସରକାର ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଦିନ ଗଡ଼ାଇ ଚାଲିବା ପରେ ରାଜ୍ୟ ସରକାର ୧୬୦୦ କୋଟି ବ୍ୟୟରେ ଏହି ରେଳ ଲାଇନର ଅଗ୍ରଗତି ଲାଗି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରସ୍ତାବକୁ ଗୃହୀତ କରିଛନ୍ତି। ଡ୍ରାଫ୍ଟ ମିଡିୟମ୍ ଟର୍ମ ଷ୍ଟେଟ୍ ଇନଫ୍ରାଷ୍ଟ୍ରକଚର୍ ଏକ୍ସପେଣ୍ଡିଚର୍ ଫ୍ରେମୱାର୍କ (ଏମ୍ଆଇଏଫ୍) ମାଧ୍ୟମରେ ୨୦୨୨-୨୩ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଏହାକୁ ସରକାର କାର୍ଯ୍ୟକାରୀ କରିବେ। ଫଳରେ ଶିଳ୍ପ ବିକାଶ କ୍ଷେତ୍ରରେ ରାୟଗଡ଼ା ଆଉ ଦୁଇ ପାଦ ଆଗକୁ ଯିବା ସହ ଗୋପାଳପୁର ଶିଳ୍ପ କରିଡର୍ ସହ ଯୋଡ଼ି ହେବ। ୨୦୨୧ ଅଗଷ୍ଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାୟଗଡ଼ାରେ ଗସ୍ତରେ ଆସିଥିଲେ। ବହୁ ସଙ୍ଗଠନ, ଦଳମତ ନିର୍ବିଶେଷରେ ଜିଲ୍ଲାବାସୀ ଏକାଠି ହୋଇ ଗୁଣପୁର-ଥେରୁବାଲି ରେଳ ଲାଇନ୍ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ଏହା ପରେ ଡିସେମ୍ବର ୧୫ରେ ନୀତି ଆୟୋଗ ପ୍ରସ୍ତାବ ସହ ରେଲୱେ ବୋର୍ଡରେ ଚୂଡ଼ାନ୍ତ ଡିପିଆର୍ ଦାଖଲ କରିଥିଲା ରେଳ ବିଭାଗ। ଡିପିଆରରେ ୭୯.୧୫ କିମି ବିଶିଷ୍ଟ ରେଳ ଲାଇନ୍ ପାଇଁ ୧୩୯୭.୩୬ କୋଟି ବ୍ୟୟ ଅଟ୍ଟକଳ କରାଯାଇଛି । ହେଲେ ଏବେ ସୁଦ୍ଧା ରେଳ ବୋର୍ଡ ଏ ଦିଗରେ କୌଣସି ଅଗ୍ରଗତି କରିନଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଅଟକି ରହିଛି।
୨୦୧୭-୧୮ ରେଳ ବଜେଟରେ ନୌପଡା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ୯୩୫ କୋଟି ଅନୁଦାନ ଘୋଷଣା କରିଥିଲେ। ୨୦୧୮-୧୯ ବଜେଟରେ ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ଟଙ୍କାଟିଏ ଅନୁଦାନ ମିଳିନଥିଲା। ୧୯୭୨ରେ ସର୍ଭେ ଆରମ୍ଭ ହୋଇ ୨୦୧୪ରେ ଶେଷ ହୋଇଥିବା ଏହି ପ୍ରକଳ୍ପର ରେଟ୍ ଅଫ୍ ରିଟର୍ଣ୍ଣ ୧୩.୫ ଥିଲା। କିନ୍ତୁ ଡିପିଆର୍ କାର୍ଯ୍ୟକ୍ଷମରେ ବିଳମ୍ବ ଯୋଗୁ ୨୦୧୯-୨୦ ରେଳ ବଜେଟରେ ପ୍ରକଳ୍ପର ରେଟ୍ ଅଫ୍ ରିଟର୍ଣ୍ଣ ୩.୯୫ ପ୍ରତିଶତକୁ ଖସି ଆସିଥିଲା। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ମାତ୍ର ୩ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେଳ ବଜେଟରେ ରେଳ ବିଭାଗ ୧୦ କୋଟିର ଅନୁଦାନ ଦେଇଛି। ଦାବି ଜୋରଦାର୍ ହେବା ପରେ ପ୍ରକଳ୍ପ ଲାଭବାନ୍ ନ ଥିବା ଏବଂ ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅନୁଦାନ ସହ ମାଗଣାରେ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ସର୍ତ୍ତ ରଖିଥିଲା ରେଳ ବିଭାଗ। ଫଳରେ ଶିଳ୍ପ କରିଡର୍ ସଂଯୋଗ, ଗୁଣପୁର-ଥେରୁବାଲି ରେଳ ଲାଇନ୍ ଆଶା ମଉଳିବାରେ ଲାଗିଥିଲା। ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ରେଳ ବଜେଟରେ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅଣଦେଖା କରିବା ପରେ ରାଜ୍ୟ ସରକାର ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି ୧୬୦୦ କୋଟି ବ୍ୟୟରେ ଗୁଣପୁର-ଥେରୁବାଲି ରେଳ ଲାଇନ କାର୍ଯ୍ୟକ୍ଷମ କରିବାକୁ ଆଗକୁ ଆସିଛନ୍ତି। ଯାହା ରାୟଗଡ଼ା ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଭରିଛି। ସୂଚନାଯୋଗ୍ୟ, ଷାଠିଏ ଦଶକରେ ତତ୍କାଳୀନ ପାରଳା ମହାରାଜାଙ୍କ ଅନୁରୋଧ ରକ୍ଷା କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗୁଣପୁର-ଥେରୁବାଲି ରେଳପଥ ପାଇଁ ଏରିୟଲ୍ ସର୍ଭେ କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ୨୦୧୪ରେ ପ୍ରକଳ୍ପ ପାଇଁ ସର୍ଭେ ଶେଷ ହୋଇଥିଲା। ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବିଶାଖାପାଟଣା-କିରୁଣ୍ଡୋଲ୍, ସମ୍ବଲପୁର-କୋରାପୁଟ, ରାୟଗଡ଼ା-ଝାରସୁଗୁଡା, ଥେରୁବାଲି-କେନ୍ଦୁଝର ଶିଳ୍ପ କରିଡର୍ ସହ ସଂଯୋଗ ହେବ ଏହି ରେଳପଥ। ଅନ୍ୟପକ୍ଷରେ ପ୍ରସ୍ତାବିତ ରାୟଗଡ଼ା-ଗୋପାଳପୁର ରେଳ ପ୍ରକଳ୍ପ ଛତ୍ରପୁର, ଦିଗପହଣ୍ଡି, ମୋହନା, ପଦ୍ମପୁର, ରାମନାଗୁଡା ଦେଇ ରାୟଗଡ଼ାକୁ ସଂଯୋଗ ହେବାର ପ୍ରସ୍ତାବ ରହିଛି।