ବାଲୁଗାଁ: କାଳବୈଶାଖୀର ତାଣ୍ଡବ । ଚିଲିକାରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ଘଟଣାରେ ଜଣେ ନିଖୋଜ ଥିବା ବେଳେ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।ପ୍ରବଳ ବର୍ଷା ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଅନୁମାନ କରାଯାଉଛି । କାଳିଜାଇରୁ ଫେରିବା ବେଳେ କାଳବୈଶାଖୀ ଝଡ଼ ଯୋଗୁଁ ଏହି ଅଘଟଣ ଘଟିଛି । ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ସେ ଥିରୁ ଜଣେ ନିଖୋଜ ।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ କାଳିଜାଇ ପୀଠରୁ ଫେରୁଥିବା ବେଳେ କାଳବୈଶାଖୀ ଝଡ଼ରେ ଫସିଯାଇଥିଲା ଡଙ୍ଗା । ଏହି ସମୟରେ ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ଜଣେ ଏବେବି ନିଖୋଜ ରହିଛନ୍ତି । ତେବେ ଲାଇଫ୍ ଜ୍ୟାକେଟ ପିନ୍ଧିଥିବାରୁ ପର୍ଯ୍ୟଟକମାନେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଓ ପୋଲିସ୍ ର ଏକ ଟିମ୍ ଅନ୍ୟ ଡଙ୍ଗା ଚାଳକଙ୍କ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି, ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି କୁହାଯାଉଛି ।