ସ୍ବାସ୍ଥ୍ୟ ହିଁ ସମ୍ପଦ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସ୍ବାସ୍ଥ୍ୟ ମଣିଷ ପାଇଁ ଏକ ମୌଳିକ ଆବଶ୍ୟକତା। ସ୍ୱାସ୍ଥ୍ୟ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନଯାପନ କରିପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଅବଗତି କରିବା ସହ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ବରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଓ ଏହାର ନିବାରଣ ପାଇଁ ଚେଷ୍ଟା କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ କାର୍ଯ୍ୟ।
ସ୍ବାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ସୁସ୍ଥତା। ଏହା କେବଳ ରୋଗ କିମ୍ବା ବିକଳାଙ୍ଗର ଅନୁପସ୍ଥିତି ନୁହେଁ। ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ଅଧିକ। ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ। ଏତଦ୍‌ବ୍ୟତୀତ ଏବେ ସମାଜରେ ସାମାଜିକ ରୋଗମାନ ଦ୍ରୁତଗତିରେ ବୃଦ୍ଧି ପାଉଛି। ମଦ୍ୟପାନ, ନିଶା ସେବନ,ଦୁର୍ଘଟଣା ଭଳି ଅନେକ ସାମାଜିକ ରୋଗ ସମାଜକୁ ପଙ୍ଗୁ ଓ କଳୁଷିତ କରି ପକାଇଲାଣି।ଏଥିରୁ ନିବୃତ ରହିବା ଅତ୍ୟନ୍ତ ଜରୁରୀ।
ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଦିନରେ ଅତି କମରେ ତିନୋଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସବୁବେଳେ ରାତ୍ରିଭୋଜନ ହାଲୁକା କରିବା ଦରକାର।ଖାଦ୍ୟରେ ପ୍ରଚୁର ପରିମାଣରେ ଫଳ,ପନିପରିବା,ପୁରା ଶସ୍ୟ, ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ସମୃଦ୍ଧ ଜିନିଷ ରହିବା ଆବଶ୍ୟକ।
ଏକ ସୁସ୍ଥ ଶରୀର ପାଇଁ ଭଲ ନିଦ ନିତ୍ୟନ୍ତ ଜରୁରୀ।ଯେଉଁମାନେ ରାତିରେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ସେମାନେ ଅନେକ ସମୟରେ ରୋଗରେ ପଡ଼ିଥାନ୍ତି।ଭଲ ନିଦ ଉଭୟ ଶରୀର ଏବଂ ମନକୁ ପ୍ରଭାବିତ କରିଥାଏ।
ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବ୍ୟାୟାମ। ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ।ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ।ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ।
ଶରୀର ସହିତ ମାନସିକ ସ୍ବାସ୍ଥ୍ୟ ପ୍ରତି ସମାନ ଧ୍ୟାନ ଦେବା ଉଚିତ୍।ଯେତେ ମାନସିକ ସ୍ତରରେ ସୁସ୍ଥ ରହିବ ସେତେ ଶାରୀରିକ ଭାବରେ ଫିଟ୍ ମଧ୍ୟ ରହିବ।

ଲେଖକ- ବିଶ୍ବବିଜୟୀ ଦାଶ
ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍ – ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

ବିଶ୍ବବିଜୟୀ ଦାଶ