ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର ୦୩/୧୨: ଉପକୂଳ ମୁହାଁ ବାତ୍ୟା ‘ଜୱାଦ’। ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରଶାସନିକ ସ୍ଥରରେ ତତ୍ପରତା ଦେଖିବାକୁ ମିଳିଛି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ୫ ତାରିଖ ରବିବାର ପଡୁଥିବା ବେଳେ ଛୁଟି ବାତିଲ କରାଯାଇଛି। ସମସ୍ତ କର୍ମଚାରୀ ନିଜ ନିଜର ହେଡକ୍ୱାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛୁଟିରେ ଥିବା କର୍ମଚାରୀ ଛୁଟି ବାତିଲ ହୋଇଥିବା ବେଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

ସୂଚନା ମୁତାବିକ, ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ଥିବା ଗଭୀର ଅବପାତ। ଶୁକ୍ରବାର ପୂର୍ବାହ୍ନରେ ବାତ୍ୟାରେ ପରିଣତ ହୋଇଥିବା ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ବାତ୍ୟା ଜୱାଦ ଏବେ ବିଶାଖାପାଟଣାରୁ ୪୨୦ କି.ମି ଦୂରରେ ରହିଛି। ୪ ତାରିଖ ସନ୍ଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ। ୪ ସନ୍ଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ। ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାର ଉପକୂଳ ନିକଟବର୍ତ୍ତୀ ହେବ। ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ। ତେବେ ବାତ୍ୟା ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ ବୋଲି କହିଛନ୍ତି ଆଇଏମଡି ଡିଜି।

ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ଶନିବାର ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ। ଜୱାଦର ପ୍ରକୋପ ଗୁଲାବ ଠାରୁ ଟିକେ ଅଧିକ ରହିବ ହେଲେ ତିତଲି ଠାରୁ କମ୍ ରହିବ। ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ସମୁଦ୍ରର ନିୟମିତ ପ୍ରାୟ ୪ ମିଟର ଜୁଆର ଆସୁଥିବା ବେଳେ ଆଉ ୧ ମିଟର ଜୁଆର ବଢିବ।