ଟାଙ୍ଗୀ:-୨୧/୦୯(ବିନୁ ଦାସ୍):- ଚୁଆ ରେ ବୁଡି ଶିଶୁ ପୁତ୍ରର ମୃତ୍ୟୁ । ମୃତ୍ୟୁ ଶିଶୁର ନାଁ ପ୍ରହଲ୍ଲାଦ ମୁଦୁଲି । ବୟସ ମାତ୍ର ୨ ବର୍ଷ । ଘର ହେଉଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟସ୍ଥ ଟୁଟୁମ୍ବର ପଲ୍ଲୀ ଗ୍ରାମରେ । ଦୀର୍ଘ ୧୨ ବର୍ଷ ପରେ ଟୁକୁନା ମୁଦୁଲି ଏହି ଶିଶୁ ପୁତ୍ର (ପ୍ରହଲ୍ଲାଦ) ର ଜନକ ହୋଇଥିଲେ । କିନ୍ତୁ ଦୈବ ଦୁର୍ଘଟଣା ଯୋଗୁଁ ପ୍ରହଲ୍ଲାଦ ପୁଣି ଠାକୁର ପ୍ରାପ୍ତି ହୋଇଗଲା । ଭଲ ଭାବରେ ଚାଲିବା ଶିଖି ନଥିବା ପ୍ରହଲ୍ଲାଦ କେତେବେଳେ ପରିବାରର ଅଗୋଚରରେ ଧିରେ ଧିରେ ଚାଲି ଚାଲି ଘର ପାଖରେ ଥିବା ଏକ ଚୁଆ ରେ ବୁଡି ଯାଇଛି , ତାହା କେହି ଜାଣି ନାହାଁନ୍ତି ।
ସନ୍ଧ୍ୟା ହେବାରୁ ପରିବାର ଲୋକେ ପ୍ରହଲ୍ଲାଦ କୁ ଖୋଜିଲେ ଏବଂ ପରେ ଜାଣିବାକୁ ପାଇଲେ ଯେ ଚୁଆ ରେ ଭାସୁଛି ପ୍ରହଲ୍ଲାଦ ।କାଳେ ବଞ୍ଚି ଥିବ ଭାବି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଲେ ପରିବାର ଲୋକେ , ମାତ୍ର ଡାକ୍ତର ପ୍ରହଲ୍ଲାଦକୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପାଇବା ପରେ ମୃତ ପ୍ରହଲ୍ଲାଦ ର ବାପା-ମା’ ଙ୍କ ବୁକୁ ଫଟା କ୍ରନ୍ଦନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।ଯାହା ଫଳରେ ଅଞ୍ଚଳରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।