ବିସ୍କୁଟରେ ନିଶା ଦେଇ ଯୁବକଙ୍କ ର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ : ଅଚେତ ଅବସ୍ଥାରେ ମେଡିକାଲ ରେ ଭର୍ତ୍ତୀ

ବାଲିଗୁଡା,୨୦/୯(ସଞ୍ଜୟ କୁମାର ପାଣିଗ୍ରାହୀ) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଜଣେ ଯୁବକ ଘରକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଲୁଟର ଶିକାର ହୋଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଦାସିଙ୍ଗବାଡ଼ି ଗ୍ରାମର ବିରା ନାୟକ ।ବିସ୍କୁଟରେ ନିଶା ଦେଇ ତାଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ର ଦାସିଙ୍ଗବାଡ଼ି ଗ୍ରାମର ବିରା ନାୟକ କାମ କରିବା ପାଇଁ ଏକ ମାସ ପୂର୍ବରୁ ଭୁବନେଶ୍ୱର ଯାଇଥିଲେ । ରବିବାର ସନ୍ଧ୍ୟାରେ ନିଜ ଘରକୁ ଫେରିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ଟିକଟ କରି ବସ ପାଖରେ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ମୁଁ ତୁମ ପାଖ ଅଞ୍ଚଳର ଲୋକ କହି ବିସ୍କୁଟ ଖାଇବାକୁ ଦେଇଥିଲେ । ବିସ୍କୁଟ ଖାଇବା ପରେ ବିରା ନାୟକ ସମ୍ପୂର୍ଣ୍ଣ ଅଚେତ ହୋଇଯାଇଥିଲେ। ତାଙ୍କ ପାଖରେ ଯାହା ଟଙ୍କା ରହିଥିଲା ସବୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ । ବସ କଣ୍ଡକ୍ଟର ବିରା ନାୟକଙ୍କୁ ବସ ପାଖରେ ଦେଖିଲା ବେଳେ ସେ ଅଚେତ ଥିବା ଜାଣିବାକୁ ପାଇଥିଲେ । ଏହାପରେ ବିରା ନାୟକଙ୍କ ପାଖରେ ରହିଥିବା ଫୋନ ନଂ ରେ ତାଙ୍କ ବାପାଙ୍କୁ ଯୋଗାଯୋଗ କରିଥିଲେ। ଅଚେତ ବିରାଙ୍କୁ ବସରେ ଦାରିଙ୍ଗବାଡ଼ି ଆଣିଥିଲେ କଣ୍ଡକ୍ଟର । ଏବେ ଦାରିଙ୍ଗବାଡ଼ି ମେଡିକାଲରେ ଅଚେତ ବିରା ନାୟକଙ୍କ ଚିକିତ୍ସା କରାଯାଉଛି ।