ଚିଲିକା : ଆମ୍ବପଡ଼ା ଗ୍ରାମବାସୀଙ୍କୁ ଆମ୍ବଡ଼ା ଦେଖାଉଛି ପ୍ରଶାସନ ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାଣି ସାତସପନ

ଚିଲିକା/୦୧/୦୯(ବିନୁ ଦାସ୍):- ବିଶୁଦ୍ଧ ନୁହେଁ , ଦୂଷିତ ପାଣି ରେ ଗାଁ ଲୋକଙ୍କ ଜୀବନ ।ଗାଁ ଲୋକଙ୍କ ପାଇଁ ବିଶୁଦ୍ଧ ଆଉ ମଧୁର ଜଳ ମୁନ୍ଦାଏ ମିଳୁନାହିଁ , ତେଣୁ ଗାଁ ଲୋକମାନେ ବାଧ୍ୟହୋଇ ପୋଖରୀ ପାଣି କୁ ନିତ୍ୟ ବ୍ୟବହାର କାର୍ଯ୍ୟ ରେ ଲଗାଇ ଥାନ୍ତି । ଏଇ ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧିନସ୍ଥ ଆମ୍ବପଡା ଗାଁର ଦୃଶ୍ୟ । ଏଠି ପାନୀୟ ଜଳ ପାଇଁ କସରତ ଚଳାଇ ଛନ୍ତି ଗ୍ରାମବାସୀ । ଅଛି ସରକାରୀ ଟ୍ୟାପ ପଏଣ୍ଟ ହେଲେ ପାଣି ଆସୁନାହିଁ , ଅଛି ନଳକୂପ ହେଲେ ବାହାରୁନି ମଧୁର ପାଣି । ଏହି ସମସ୍ୟା ଦିନେ ନୁହେଁ କି ଦୁଇ ଦିନ ନୁହେଁ , ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ , ଦୀର୍ଘ ୧୫ ରୁ ୨୦ ବର୍ଷ ହେଲା ଦେଖା ଦେଇଛି ଏହି ସମସ୍ୟା । ପାନୀୟ ଜଳ ହୋଇଛି ଏହି ଗାଁର ମୂଖ୍ୟ ସମସ୍ୟା । ମଧୁର ଜଳ ମୁଁନ୍ଦାଏ ପାଇଁ ନଈ-ପୋଖରୀ ର ପାଣି ହେଉଛି ଏହି ଗାଁ ଲୋକଙ୍କ ସାହା ଭରଷା ।ଖୋର୍ଦ୍ଧା ଜିଲ୍ଲା ର ଚିଲିକା ବ୍ଲକ ଅଧୀନସ୍ଥ ସିଙ୍ଗେଶ୍ୱର ପଞ୍ଚାୟତ ର ଆମ୍ବପଡା ଗ୍ରାମର ପାନୀୟ ଜଳ ହେଉଛି ମୂଖ୍ୟ ସମସ୍ୟା। ଜାତୀୟ ରାଜପଥ ର ପାର୍ଶ୍ୱରେ ରହିଛି ଏହି ଆମ୍ବପଡା ଗ୍ରାମ । ଯେଉଁ ଗ୍ରାମରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ମାନେ ବସବାସ କରନ୍ତି। ଏହି ଅଞ୍ଚଳରେ ମଧୁର ପାନୀୟ ଜଳ ମୁନ୍ଦାଏ ପାଇବା ସାତ-ସପନ ହୋଇଥାଏ ।

ଚିଲିକା ହ୍ରଦର ଲବଣାକ୍ତ ଜଳରାଶି ଯୋଗୁଁ ଚିଲିକା ବ୍ଲକର ଅଧିକାଂଶ ପଞ୍ଚାୟତ ର ଅଧିବାସୀମାନେ ସର୍ବଦା ମଧୁର ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି।ରାଜ୍ୟ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଖୋଲିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କ ଦାଇତ୍ୱ ହୀନତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ଗାଁର ଲୋକମାନେ । ସରକାରୀ ସ୍ତରରେ ଗାଁରେ ସରକାରୀ ଟ୍ୟାପ ପଏଣ୍ଟ ର ବ୍ୟବସ୍ଥା ହୋଇଛି ମାତ୍ର ଅଚଳ ହୋଇ ପଡିଛି । ରାଜ୍ୟ ସରକାର ଗାଁ ଗାଁ ରେ ବସୁଧା ଯୋଜନା ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ କରି ପିଇବା ପାଣି ଯୋଗାଉ ଛନ୍ତି ବୋଲି ବାହା ବାହା ନେଉଛନ୍ତି , କିନ୍ତୁ ବାସ୍ତବ ଚିତ୍ର ଓଲଟା । ଅଭିଯୋଗ ପାଇବା ପରେ ଆମେ ପହଞ୍ଚିଲୁ ଗ୍ରାଉଣ୍ଡ ରେ ଏବଂ ସତ୍ୟାସତ୍ୟ ମଧ୍ୟ ପରଖିଲୁ , ଲୋକଙ୍କ କୋଳାହଳ ହେଲା , ଲୋକେ କହିଲେ ବହୁତ ବାବୁ-ନେତା ଙ୍କୁ ଗୁହାରୀ କରି କରି ଥକି ଗଲୁଣି , କେହିବି ଆମ ଗାଁର ଏହି ପାନୀୟ ଜଳର ସମସ୍ୟା ସମାଧାନ କରୁନାହାନ୍ତି , ଏହି ପୋଖରୀ ପାଣି ପିଇବା ଦ୍ୱାରା ବିଭିନ୍ନ ଚର୍ମ ରୋଗ ସାଙ୍ଗକୁ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଗାଁର ବହୁ ଲୋକଙ୍କ ଜୀବନ ଗଲାଣି , ତଥାପି ସମସ୍ୟା ସମାଧାନ ହେଉନାହିଁ ।

ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି କିନ୍ତୁ କେହି ଗୁହାରୀ ଶୁଣୁ ନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଗାଁ ପୋଖରୀ-ନଈ , ଗାଡିଆ , ଚୁଆ ଇତ୍ୟାଦି ରୁ ଏହି ଅପରିଷ୍କାର ଜଳ ଏବେ ଗାଁ ଲୋକଙ୍କ ପାଇଁ ଏକ ମାତ୍ର ବିକଳ୍ପ ପାନୀୟ ଜଳ ପାଲଟି ଯାଇଛି । ବିଭାଗୀୟ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଭୋଟ ସମୟ ଆସିଲେ ଏଠାକୁ ନେତା ମନ୍ତ୍ରୀ ମାନେ ଆସନ୍ତି ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି,କିନ୍ତୁ ଭୋଟ ସରିଲା ପରେ କେହି ଆମ ସମସ୍ୟା ବୁଝନ୍ତି ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଏନେଇ ଆମେ ଚିଲିକା ବିଡ଼ିଓଙ୍କର ମତାମତ ପାଇନଥିଲୁ ଏବଂ ଜଳ ଯୋଗାଣ ବିଭାଗର ଜନୈକ ଯନ୍ତ୍ରୀ ଶତପଥି ବାବୁଙ୍କୁ ଯୋଗାଯୋଗ କରିବାରୁ କହିଥିଲେ କି ଏକ ବର୍ଷ ମଧ୍ୟରେ ଚିଲିକା ବ୍ଲକ ର ସମସ୍ତ ଘରକୁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଆରମ୍ଭ ହେଉଛି।ତେଣୁ ଅନ୍ୟ ଯୋଜନା ରେ ପାଣି ପାଇଁ କୌଣସି ସମାଧାନ କରିବା ଆମ ପକ୍ଷେ ସମ୍ଭବ ନୁହେଁ।

ଯଦି କୌଣସି ଠାରେ ସ୍ୱଳ୍ପ ମରାମତି ରେ କାମ ହୋଇପାରିବ ତ ମୁଁ ନିଶ୍ଚିତ ଭାବରେ ଦୃଷ୍ଟି ଦେବି ଏପରିକି ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ରେ ଆମେ ସମସ୍ତଙ୍କୁ ମିଠା ପାଣି ଯୋଗାଇ ଦେବୁ।ସେହିଭଳି ସିଂଗେଶ୍ୱର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ (ପଶି ଭାଇ) ଆମ ପ୍ରତିନିଧି ଙ୍କୁ କହିଛନ୍ତି କି ୧୫ ଦିନ ମଧ୍ୟରେ ଧୂଆଁଳ ପାଣିଟାଙ୍କିରୁ ପାଣି ଦେବା ପାଇଁ ଯୋଜନା କରୁଛୁ।ଖୁବଶୀଘ୍ର ସମସ୍ୟା ର ସମାଧାନ କରିବି।ଦେଖାଯାଉ କେବେ ମିଠା ପାଣି ମିଳୁଛି ଆମ୍ବପଡ଼ା ଗ୍ରାମବାସୀ ଙ୍କୁ ଆମ ଖବର ସେ ପର୍ଯ୍ୟନ୍ତ ଜାରି ରହିବ।ଆଗକୁ ପଞ୍ଚାୟତ ନିର୍ବାଚନ ବେଳକୁ ସମାଧାନ ନହେଲେ ଗ୍ରାମବାସୀ ଭୋଟ ଦେବାରେ ଶାଶକ ଦଳକୁ ମହଙ୍ଗା ପଡିପାରେ।