ଟାଙ୍ଗୀକୁ ଏନଏସି ଦାବିରେ ଶୋଭାଯାତ୍ରା ଏବଂ ଦାବିପତ୍ର ପ୍ରଦାନ

ଟାଙ୍ଗୀ:୦୯/୦୮(ବିନୁ ଦାସ୍) ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ଟାଙ୍ଗୀ ବ୍ଲକ୍ ର ଟାଙ୍ଗୀ ଗ୍ରାମପଞ୍ଚାୟତ କୁ ଏନ୍ଏସି ମାନ୍ୟତା ପ୍ରଦାନ ଦାବି ଜୋର ଧରିଛି । ଟାଙ୍ଗୀ ବିକାଶ ମଞ୍ଚର ଆବାହକ ସୁଶାନ୍ତ କୁମାର ସିଂହଙ୍କ ଆବାହକତ୍ୱରେ ଟାଙ୍ଗୀ ବିକାଶ ମଞ୍ଚ ଓ ଟାଙ୍ଗୀ ଗ୍ରାମବାସୀଙ୍କ ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ଟାଙ୍ଗୀ ମଧୁମଙ୍ଗଳ ପଡିଆରୁ ବାହାରି ଗ୍ରାମ ପରିକ୍ରମା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଟାଙ୍ଗୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ରଘୁନାଥ ସାହୁ,ବରିଷ୍ଠ ବିଜେପି ନେତା ଗଙ୍ଗାଧର ବେହେରା, ଗିରିଶ କୁମାର ବେହେରା ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।ପ୍ରକାଶ ଥାଉକି ଏହି ଟାଙ୍ଗୀ କୁ ଏନଏସି ମାନ୍ୟତା ଦାବି ଦୀର୍ଘ ବର୍ଷ ଧରି ହେଉଛି।ଟାଙ୍ଗୀ ଅଞ୍ଚଳରେ ଥାନା, ଗ୍ରାମ ନ୍ୟାୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସବରେଜିଷ୍ଟର୍ କାର୍ଯ୍ୟାଳୟ, ଅବକାରୀ ଥାନା, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ସହ ଖୋର୍ଦ୍ଧା ଜିଲ୍ଲାର ବହୁ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ରହିଛି । ଦୀର୍ଘଦିନ ଧରି ଦଳମତ ନିର୍ବିଶେଷରେ ଟାଙ୍ଗୀ ଅଞ୍ଚଳବାସୀ ଆନ୍ଦୋଳନ ଏବଂ ଦାବିପତ୍ର ଦେଉଥିଲେ ବି ନିର୍ବାଚନ ସମୟ ଆସିଲେ ନେତାମାନେ ବିଭିନ୍ନ ମିଠା ମିଠା କଥା ତଥା ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ବାସୀ ଭୁଲି ଯାଉଛନ୍ତି । ଏ ଦିଗରେ ତୁରନ୍ତ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଧାୟକ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଅଧିବାସୀ ।ନଚେତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଏହାର ଉଚିତ ମୁଲ୍ୟ ଦେବାକୁ ଆବାହକ ଶୁଶାନ୍ତ କୁମାର ସିଂ ଟାଙ୍ଗୀ ଅଧିବାସୀଙ୍କୁ ଅନୁରୋଧ କରିଛନ୍ତି ।