ଭୁବନେଶ୍ଵର : କେନ୍ଦ୍ର ସରକାର ସମଗ୍ର ଦେଶରେ ଶ୍ରମିକ, କୃଷକ, ଗ୍ରାହକ, ଛାତ୍ର, ଯୁବ, ମହିଳା, ଦଳିତ, ସଂଖ୍ୟାଲଘୁ ବର୍ଗଙ୍କ ଉପରେ ଆକ୍ରମଣ ନୀତି ଜାରି ରଖିଛନ୍ତି। ଏହାର ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନର ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି।
ଭୁବନେଶ୍ୱରଠାରେ ଏକ କନ୍ଭେନ୍ସନ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ଧର୍ମଘଟକୁ ସଫଳ କରିବା ପାଇଁ ଆସନ୍ତା ୧୮ ତାରିଖ ମଧ୍ୟରେ ସମସ୍ତ ଜିଲ୍ଳାସ୍ତରରେ ମିଳିତ କନ୍ଭେନ୍ସନ ଓ ପ୍ରତ୍ୟେକ ୟୁନିୟନର ସାଧାରଣ ସଭା କରାଯିବ। ଶ୍ରମିକ ବିରୋଧୀ ଶ୍ରମ କୋଡ୍ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନ, ଆୟକର ଦେଉ ନଥିବା ସମସ୍ତ ପରିବାରକୁ ମାସିକ ୭ହଜାର ପାଞ୍ଚ ଶହ ଟଙ୍କା ଓ ମୁଣ୍ଡପିଛା ୧୦ କିଲୋ ଚାଉଳ, ନିର୍ମାଣ ଶ୍ରମିକମାନଙ୍କ କରୋନା ସହାୟତା ସହ ନବୀକରଣ ସହ ନୂତନ ପଞ୍ଜୀକରଣ କରାଇବା ଆଦି ଦାବିରେ ଏହି ବନ୍ଦ ଡକରା ଦିଆଯାଇଛି।
କନ୍ଭେନସନ୍ରେ ଆଇଏନଟିୟୁସିର ମଦନ ଧଳ, ଏଆଇଟିୟୁସିର ଏନ. ନାରାୟଣ ରେଡ୍ଡି, ଏଚ୍ଏମ୍ଏସ୍ର ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁସିର ବିମାନ ମାଇତି, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା ଓ ଏଆଇୟୁଟୁସିର ଶମ୍ଭୁନାଥ ନାଏକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ, ଏଚ୍ଏମ୍ଏସ୍ର ଆଶିଷ ନନ୍ଦ, ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ଡ. ପୂର୍ଣ୍ଣଚନ୍ଦ୍ର ବେହେରା, ସୁର ଜେନା, କିଶୋର ଜେନା, ଲିଟୁଲାଲ ଦେବ ସୁବୁଦ୍ଧି, କେନ୍ଦ୍ର ସରକାରୀ କର୍ମଚାରୀ ସଂଘର ରବୀନ୍ଦ୍ର ନାଥ ଧଳ, ରାଜ୍ୟ ସରକାରୀ କର୍ମଚାରୀ ସଂଘର ପ୍ରାର୍ଥ ସାରଥୀ ଜେନା ପ୍ରମୁଖ ଦେଶବ୍ୟାପୀ ଧର୍ମଘଟ ସଫଳତା ପାଇଁ ସଂକଳ୍ପ ଘୋଷଣା କରିଥିଲେ ।