ବୌଦ୍ଧ,୦୨।୧୧: ଅନୁଗୁଳ ଜିଲ୍ଲାର କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଇନୋଭା ଗାଡ଼ିକୁ ପିଟିଲା ଯାତ୍ରୀବାହୀ ବସ୍ । ଇନୋଭାରେ ଥିବା ୨ ଯାତ୍ରୀ ଘଟଣା ସ୍ଥଳରେ ମୃତ ଏବଂ ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏମାନଙ୍କ ଭିତରୁ ୬ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨୪ ଜଣଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବୌଦ୍ଧ-ରେଢ଼ାଖୋଲ ରାସ୍ତାରେ ଗତ ରାତି ପ୍ରାୟ ଗୋଟାଏ ସମୟରେ ବଲାଙ୍ଗୀର ଅଂଚଳର ଏକ ଇନୋଭା କାର୍( ଓଡି୦୩ ଜି-୨୨୫୫) କିଆକଟା ଛକ ନିକଟରେ ରାସ୍ତା କଡରେ ରଖି ଯାତ୍ରୀମାନେ ପରିସ୍ରା କରିବାକୁ ଯାଇଥିବା ବେଳେ ହୀରାକୁଦରୁ ବ୍ରହ୍ମପୁର ଯାଉଥିବା ବୃନ୍ଦାବନ ନାମକ ଘରୋଇ ଯାତ୍ରୀ ବାହୀ ବସ୍ (ଓଡ଼ି ୦୨ ଏ କେ-୮୧୮୮) ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।