Unlock 4: ଶିକ୍ଷାନୁଷ୍ଠାନ ପାଇଁ ଆସିଲା SOP, କରୋନା କାଳରେ ଏମିତି ହେବ ପାଠପଢ଼ା ।

ନୂଆଦିଲ୍ଲୀ,୦୮/୦୯ : ଆସନ୍ତା ୨୧ ତାରିଖରୁ ୯ମରୁ ଦ୍ଵାଦଶ ଶ୍ରେଣୀ ସ୍କୁଲ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଆଜି କେନ୍ଦ୍ର ସରକାର ମାନକ ଆଚରଣବିଧି (ଏସଓପି) ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁସାରେ ଶ୍ରେଣୀରେ ସାମାଜିକ ଦୂରତ୍ଵ ପାଳନ, ମାସ୍କ ପିନ୍ଧିବା ଓ ହାତ ଧୋଇବା ଆଦିକୁ ବାଧ୍ୟତାମୂଳକ କରାଯାଇଛି ।
ସେହିପରି ଜାରି ହୋଇଥିବା ଗାଇଡଲାଇନରେ ସ୍କୁଲରେ ସମାରୋହ ଓ କ୍ରୀଡ଼ା ପ୍ରତିଯୋଗିତା ଆଦିକୁ ବାରଣ କରାଯାଇଛି। କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯିବ। ସ୍କୁଲର ଯେଉଁ କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ କଣ୍ଟେନମେଣ୍ଟ ଜୋନରେ ରହୁଥିବେ ସେମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ନାହିଁ। ଏହି ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲକୁ ଆସିବା କେବଳ ଇଚ୍ଛାଧୀନ ହେବ। ସୂଚନାଯୋଗ୍ୟ କରୋନା ସଂକ୍ରମଣ ଓ ଲକଡାଉନ ପାଇଁ ଗତ ମାର୍ଚ୍ଚ ମାସରୁ ସାରା ଦେଶରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ଓଡ଼ିଶାରେ ସ୍କୁଲ ଓ କଲେଜ ଗୁଡ଼ିକୁ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ଛୁଟି ଘୋଷଣା କରାଯାଇଛି।