ଭୋପାଳ:୨୧।୦୭: ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ପରଲୋକ ହୋଇଯାଇଛି। ଅସୁସ୍ଥତା ହେତୁ ଗତମାସରୁ ତାଙ୍କୁ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସେ ଶେଷନିଃଶ୍ୱାସ ତ୍ୟାଗ କରିଥିବା ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଲାଲଜୀ ଟଣ୍ଡନଙ୍କୁ ୮୫ ବର୍ଷ ହୋଇଥିଲା।
ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ତଥା ଜ୍ୱର ହେବାରୁ ଗତ ମାସ ୧୧ ତାରିଖରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ୧୪ ତାରିଖରେ ତାଙ୍କ ଲିଭର୍ରେ ଏକ ଅପରେସନ୍ କରାଯାଇଥିଲା। ସେବଠାରୁ ସେ ହସ୍ପିଟାଲ୍ରେ ଥିଲେ।
୧୯୬୦ ମସିହାରୁ ଲାଲଜୀ ଟଣ୍ଡନଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା। ସେ ଉତ୍ତର ପ୍ରଦେଶ ବିଧାନସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ। କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ମନ୍ତ୍ରୀ ହୋଇଥିଲେ। ସେ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ।