ସରକାରୀ ଚାକିରି ଉପରେ କଟକଣା

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ବିଭାଗରେ ନୂଆ ନିଯୁକ୍ତି ଦିଆଯିବନାହିଁ। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନୂତନ ନିଯୁକ୍ତି ଦିଆଯିବ। ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି ଲେଖାଯାଇଛି।
ସେହିପରି କୌଣସି ବିଭାଗ ନୂଆ ଗାଡ଼ି ନ କିଣିବାକୁ ରୋକ ଲାଗିଥିବାବେଳେ ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିବା ଉପରେ କଟକଣା ଲଗାଯାଇଛି। ସରକାରୀ ଖର୍ଚ୍ଚରେ ବିଜନେସ୍ କ୍ଲାସ୍‌ରେ ବିମାନ ଯାତ୍ରା ନ କରିବାକୁ କୁହାଯାଇଛି। ଏଥିସହିତ ସରକାରୀ ଅଧିକାରୀ ପ୍ରଥମ ଶ୍ରେଣୀ ଏସି ଟ୍ରେନ୍‌ରେ ଯାତ୍ରା କରିପାରିବେନି।

ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର, ଓ୍ୱାର୍କସପ୍ ଆଦି କରିବା ମଧ୍ୟ ରୋକଲାଗିଛି । ଏସବୁ ଭିଡିଓ କନଫରେନସ୍ ମାଧ୍ୟମରେ କରିବା ପାଇଁ କୁହାଯାଇଥିବା ବେଳେ ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲିଭ୍ ଟ୍ରାଭେଲ୍ କନ୍ସେସନ ବନ୍ଦ କରାଯାଇଛି।