କଲମପୁର ଇସି ସଂଘର ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

କଳାହାଣ୍ଡି,୧0/୨(ପ୍ୟାରିଲାଲ ଦୁର୍ଗା) କଳାହାଣ୍ଡି ଜିଲ୍ଲା କଲମପୁର ଓଡିଶା ଜୀବିକା ମିଶନ ଶକ୍ତି ସଂଘର ଅନୁବନ୍ଧିତ କଲମପୁର ବ୍ଲକ ସ୍ତରୀୟ ଇସି ସଂଘ (ବିଏଲଏଫ) ପଞ୍ଚାୟତ ସ୍ତରୀୟ ଇସି ସଂଘ (ପିଏଲଏଫ)ର ମିଳିତ ଆନୁକୁଲ୍ୟରେ ଆଜି ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଘର ସଭାନେତ୍ରୀ ଲିଲାବତୀ ରାଉତ, ଉପ ସଭାନେତ୍ରୀ ସୁମତୀ ଛତ୍ରିଆ,ସଂପାଦିକା ରଞ୍ଜିତା ନାଏକଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟା ଏଥିରେ ସାମିଲ ହୋଇଥିଲେ। କଲମପୁର ନିର୍ମାଲ୍ୟକ୍ଷେତ୍ର ରୁ ଏହି ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିଡିଓ ବିଜୟ ମାଣ୍ଡାଙ୍ଗୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ବିଡିଓ ଶ୍ରୀ ମାଣ୍ଡାଙ୍ଗି ଦାବିପତ୍ର ଗ୍ରହଣ କରି ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ। ଇସି ସଂଘର ଦାବି ହେଲା ସରକାର ସେମାନଙ୍କୁ ଅବ୍ୟାହତି ଦେବାକୁ ଯୋଜନା କରିଛନ୍ତି। ଦୀର୍ଘଦିନ ହେଲା ସେମାନେ କମ୍ ପାରିଶ୍ରମିକରେ କାମ କରି ଆସିଥିବା ବେଳେ ବର୍ଷେ ହେବ ଗସ୍ତ ଖର୍ଚ୍ଚ ପ୍ରଦାନ କରି ନାହାନ୍ତି। ଅନ୍ୟପକ୍ଷେ ସ୍କୁଟି ଋଣ ଏପର୍ଯ୍ୟନ୍ତ ପରିଶୋଧ ହୋଇ ପାରିନାହିଁ। ଏହାକୁ ପ୍ରତ୍ୟାଖ୍ୟାନ କରାଯାଉ ବୋଲି ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରକାଶଯେ ଏମାନଙ୍କ ପାଇଁ ସରକାର ତିନି ବର୍ଷର କାର୍ଯ୍ୟକାଳ ଅବଧି ଧାର୍ଯ୍ୟ କରିଥିବା ବେଳେ ତିନି ବର୍ଷ ପରେ ପୁଣି ଥରେ ଚୟନ କରିବାର ନୀୟମ ରହିଛି। ଏଭଳି କାରଣରୁ ବିଗତ ଦିନରେ ଏଠାରେ ଗଠିତ ବ୍ଲକ ସ୍ତରୀୟ ସଂଘ ଭଗ୍ନ କରାଯାଇଥିଲା। ଫଳରେ ପୂର୍ବତନ ସଭାନେତ୍ରୀ ଦୀପ୍ତିମୟୀ ଆଚାରି ବିଦା ହୋଇଥିବା ବେଳେ ଲିଲାବତୀ ରାଉତ ସଭାନେତ୍ରୀ ହୋଇଥିଲେ। ଏବେ ଲିଲାବତୀ ରାଉତ ଓ କମଟି କର୍ମକର୍ତ୍ତା ମାନେ ତାଙ୍କ କାର୍ଯ୍ୟକାଳ ଅବଧି ଶେଷ ହେବା ପରେ ବି ଏହି ପଦବୀରେ ରହିବାକୁ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।