ଭୁବନେଶ୍ୱର: ବସ୍ତି ଅଞ୍ଚଳରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ୱରର ମହାନଗର ନିଗମ(ବିଏମ୍ସି) ରାଜଧାନୀର ବିଭିନ୍ନ ହସ୍ପିଟାଲ, ନର୍ସିଂହୋମ ବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାରେ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଜାରି କରିଛି ନୂଆ ଗାଇଡ୍ଲାଇନ୍। ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ପକ୍ଷରୁ ନିଜର ସମସ୍ତ କର୍ମଚାରୀଙ୍କ ସଂପୂର୍ଣ୍ଣ ତଥ୍ୟ ବା ଡାଟାବେସ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ଯେଉଁମାନେ ବସ୍ତି ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ରଖିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି।
ସେହିପରି ବସ୍ତି ଅଞ୍ଚଳରେ ବାସ କରୁଥିବା କର୍ମଚାରୀଙ୍କୁ ହସ୍ପିଟାଲ କ୍ୟାମ୍ପସରେ ରହିବେ। ବସ୍ତିରେ ରହୁଥିବା କର୍ମଚାରୀ ଏକାଧିକ୍ରମେ ୧୪ ଦିନ ଡ୍ୟୁଟି କରିବେ। ୧୪ ଦିନିଆ ସିଫ୍ଟ ସରିବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରି ନେଗେଟିଭ୍ ଆସିଲେ, ଘରକୁ ଛାଡ଼ିବାକୁ କୁହାଯାଇଛି। ତା’ପରେ ବାକି କର୍ମଚାରୀଙ୍କୁ ୧୪ ଦିନ ପାଇଁ ରଖି ଡ୍ୟୁଟି କରାଇବାକୁ କୁହାଯାଇଛି। ଏହାସହ ହସ୍ପିଟାଲ ପକ୍ଷରୁ ନିଜ ସଂସ୍ଥାର ଜଣେ ଦାୟିତ୍ୱ ନିଷ୍ଠ କର୍ମଚାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଇବେ। ସେ ବିଏମ୍ସି ସହ ସଂପର୍କରେ ରଖିବେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।