ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଏମଏଲଏ ଲ୍ୟାଡ୍କୁ ଖର୍ଚ୍ଚ କରିବାରେ ସକ୍ଷମ ହୋଇନଥିବା ରାଜ୍ୟର ବିଧାୟକମାନେ ଏଣିକି କରୋନା ମୁକାବିଲା ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ। ଏମଏଲଏ ଲ୍ୟାଡ୍ ନିୟମ-୧୯୯୭ରେ ଆବଶ୍ୟକ ସଂଶୋଧନକୁ ସରକାର ଅନୁମୋଦନ କରିବା ପରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଗାଇଡଲାଇନ୍ ଜାରି ହୋଇଛି।
୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ବିଧାୟକମାନଙ୍କ ପାଣ୍ଠିରୁ ମାତ୍ର ୫୦ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ପାଇଁ ବିଧାୟକମାନଙ୍କୁ ଅନୁମତି ଦିଆଯାଇଥିଲା। କିନ୍ତୁ ଏବେ ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ) ଖର୍ଚ୍ଚକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି।
ଯୋଜନା ଓ ସଂଯୋଜନ ବିଭାଗର ଗାଇଡଲାଇନ୍ ଅନୁସାରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି) କେନ୍ଦ୍ରର ଭିତ୍ତିଭୂମି ନିର୍ମାଣ, କରୋନା ରୋଗୀଙ୍କ ପରିବହନ ନିମନ୍ତେ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିଭଡ଼ାକୁ ମଧ୍ୟ ବିଧାୟକ ପାଣ୍ଠିରୁ ଭରଣା କରାଯାଇପାରିବ। ଟିଏମସିରେ ରୋଗୀଙ୍କୁ ଖାଦ୍ୟ, ପାନୀୟ ଜଳ ଆଦି ସହ ଅନ୍ୟାନ୍ୟ ବ୍ୟବସ୍ଥା ନିମନ୍ତେ ଆବଶ୍ୟକ ଖର୍ଚ୍ଚ ମଧ୍ୟ ବିଧାୟକ ପାଣ୍ଠିରୁ ବହନ କରାଯାଇପାରିବ।