ଭୁବନେଶ୍ଵର ୨୨/୦୬: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମ୍ କୋର୍ଟ ଓ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ରଥଯାତ୍ରାର ସୁପରିଚାଳନା ନିମନ୍ତେ ପୁରୀରେ କ୍ୟାମ୍ପ କରିବାକୁ ୩ ମନ୍ତ୍ରୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ରଥଯାତ୍ରା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସ୍ଥିତି ତଦାରଖ କରିବାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ପୁରୀରେ କ୍ୟାମ୍ପ କରିବେ। ରଥଯାତ୍ରା ପାଇଁ ପୁରୀର ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।ଜଗନ୍ନାଥଙ୍କ ରୀତିନୀତି ଠିକ୍ ଭାବେ ପାଳନ କରାଯାଉଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ପୁରୀର ଜନସାଧାରଣଙ୍କୁ କୋଭିଡ-୧୯ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।