ଜନ୍ମଦିନ ଓ ବିବାହ ବାର୍ଷିକୀରେ ଯୋଗଦେଇ ୧୭ଜଣ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା : ପୁଅର ଜନ୍ମ ଦିନ ଓ ବିବାହ ବାର୍ଷିକୀ ଉତ୍ସବରେ ଯୋଗ ଦେଇ ୧୭ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖବର ଅନୁଯାୟୀ ବ୍ରଜରାଜନଗର ଓପିଏମ୍‌ କଲୋନିରେ ଗତ ୧୫ ତାରିଖରେ ଜଣେ ମହିଳାଙ୍କ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଏହି ମହିଳା ହରିଆନାର ଗୁଡ଼ଗାଓଁରୁ ଆସି ତାଙ୍କ ମାମୁଁ ଘରେ ଥିଲେ। ତାଙ୍କ ସହିତ ଆସିଥିଲେ ସ୍ୱାମୀ ଓ ଛୋଟ ଶିଶୁପୁତ୍ର। ୬ ତାରିଖରେ ପାଳନ କରିଥିଲେ ପୁଅର ଜନ୍ମଦିନ ଉତ୍ସବ। ଏହି ଉତ୍ସବ ଯୋଗଦେଇଥିଲେ ପଡ଼ୋଶୀ। ସେହିପରି କଲୋନିର ଆଉ ଜଣେ ପରିବାର ତାଙ୍କର ୨୫ ତମ ବିବାହ ଉତ୍ସବ ପାଳନ କରିଥିଲେ। ଏହି ଦୁଇଟି ଉତ୍ସବରେ ଯୋଗ ଦେଇଥିବା ୧୭ ଜଣ ଏବେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ସଂଗରୋଧରେ ଥିବା ବେଳେ ଜନ୍ମଦିନ ପାଳନ କରି ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କରିବା ଉଚିତ ନଥିଲା। ଏଭଳି ଅସାବଧାନତା ଯୋଗୁଁ ଏତେ ଦିନ ଧରି ଠିକ୍‌ଠାକ୍‌ ଥିବା ଝାରସୁଗୁଡ଼ା ଜିଲ୍ଲାର ଅବସ୍ଥା ବିଗିଡ଼ି ଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍‌ ହୋଇଥିବାରୁ ଏଥିରେ ଆତଙ୍କିତ ହେବାର କିଛି ନାହିଁ। ଜନ୍ମଦିନ ଓ ବିବାହ ଉତ୍ସବ କରିଥିବା ଉଭୟ ପରିବାରର ମୁଖ୍ୟଙ୍କ ନାମରେ ଡିଜାଷ୍ଟର ମେନେଜମେଣ୍ଟ ଆକ୍ଟର ଧାରା ୫୧ ଓ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୯୬, ୨୭୧, ୧୮୮ରେ ପୋଲିସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାମଲା ଦାୟାର କରାଯାଇ କଡ଼ା ପଦକ୍ଷେପ ନିଆଯାଇଛି। ଆଗକୁ ଯଦି ଏଭଳି ଘଟଣାର ପୁନରାବୃତ୍ତି କେହି କରନ୍ତି ତାହା ହେଲେ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।