ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେଶରେ ଲାଗୁ ହୋଇଥିବା ଲକଡାଉନ ପାଇଁ ଗ୍ରାମାଞ୍ଚଳ ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ସକ୍ରିୟ କରିବାକୁ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ୧୫୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୫୬୪ କୋଟି ଟଙ୍କା ମିଳିବ।
୧୫ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ୨୦୨୦-୨୧ ପାଇଁ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁଦାନର ପ୍ରଥମ କିସ୍ତି ବାବଦରେ ଏହି ରାଶି ଦିଆଯାଇଛି। ଉତ୍ତରପ୍ରଦେଶ ସର୍ବାଧିକ ୨୪୩୮ କୋଟି ଓ ଗୋଆକୁ ସର୍ବନିମ୍ନ ୧୮ କୋଟି ଟଙ୍କା ମଂଜୁର କରାଯାଇଛି। କରୋନା ମୁକାବିଲା ଓ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି, ସ୍ଥାନୀୟ ଅଂଚଳର ଆବଶ୍ୟକତା ଅନୁସାରେ ବିକାଶ ପାଇଁ ପଞ୍ଚାୟତ ଗୁଡ଼ିକ ଏହି ରାଶିକୁ ଉପଯୋଗ କରିପାରିବେ। ରାଜ୍ୟ ଅର୍ଥ ବିଭାଗ ଏହି ରାଶି ପାଇବାର ୧୦ ଦିନ ମଧ୍ୟରେ ପଞ୍ଚାୟତ ଗୁଡ଼ିକୁ ପ୍ରଦାନ କରିବେ। ୧୦ଦିନରୁ ବିଳମ୍ବ ହେଲେ ସୁଧ ସମେତ ଏହି ଅର୍ଥ ପ୍ରଦାନ କରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ ବିନିଯୋଗ ବିଭାଗ (ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚର) ପକ୍ଷରୁ କୁହାଯାଇଛି।