ଅସୁସ୍ଥ ହୋଇ ହସ୍ପିଟାଲ ରେ ଭର୍ତ୍ତି ହେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ |

ନୂଆଦିଲ୍ଲୀ: ଅସୁସ୍ଥ ହୋଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ତାଙ୍କୁ ପ୍ରବଳ ଜ୍ଵର ହୋଇଥିବାବେଳେ ସେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏପରିକି ତାଙ୍କ ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଗତ ୨ ଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ଦେହ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର କରୋନା ପରୀକ୍ଷା କରାଯାଇଛି। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିପାରେ ବୋଲି କୁହାଯାଉଛି। ସତ୍ୟେନ୍ଦ୍ର ଜୈନ୍‌ ଟ୍ବିଟ୍‌ କରି କହିଛନ୍ତି, ପ୍ରବଳ ଜ୍ଵର ଏବଂ ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ମୁଁ ଗତ ରାତିରେ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଆପଣମାନଙ୍କୁ ମୋ ସ୍ବାସ୍ଥ୍ୟ ବିଷୟରେ ଅପ୍‌ଡେଟ ସୂଚନା ଦେବା ଜାରି ରଖିବି।