ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯିବ।

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ର ସରକାର ସାହାଯ୍ୟ କରିବେ। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଦିଲ୍ଲୀରେ କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ଉପସ୍ଥିତି ଥିଲେ।

ବୈଠକରେ ରୋଗୀଙ୍କ ଲାଗି ଶଯ୍ୟାର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦୀ ସରକାର ତୁରନ୍ତ ୫୦୦ ରେଲଓ୍ଵେ କୋଚ୍ ଦିଲ୍ଲୀକୁ ଦେବାକୁ କହିଛନ୍ତି। ଦିଲ୍ଲୀରେ କଣ୍ଟେନମେଣ୍ଟ ଅଞ୍ଚଳରେ ଘର ଘର ଯାଇ ପ୍ରତିଟି ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରାଯିବ। ରିପୋର୍ଟ ଗୋଟିଏ ସପ୍ତାହରେ ଦିଆଯିବ। ଏଥିସହ ମନିଟରିଂର ତ୍ଵରାନ୍ଵିତ ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଡାଉନଲୋଡ୍‌ କରାଯିବ।

ଏହି ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବା ଲାଗି ଆଗାମୀ ଦୁଇ ଦିନରେ କରୋନା ଟେଷ୍ଟିଂ ଦୁଇ ଗୁଣ କରାଯିବ। ୬ ଦିନରେ ଟେଷ୍ଟିଂକୁ ତିନି ହେବ। କିଛିଦିନ ପରେ କଣ୍ଟେନମେଣ୍ଟ ଜୋନ୍‌ର ପ୍ରତି ପୋଲିଂ ଷ୍ଟେସନରେ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ କରାଯିବ। ଦିଲ୍ଲୀର ଛୋଟ ହସ୍ପିଟାଲ ଗୁଡିକରେ କରୋନା ସଠିକ୍ ସୂଚନା ଓ ମାର୍ଗଦର୍ଶିକା ପାଇଁ ଏମ୍ସରେ ଟେଲିଫୋନ ଗାଇଡାନ୍ସ ନିମନ୍ତେ ବରିଷ୍ଠ ଡାକ୍ତରଙ୍କ ଏକ କମିଟି ଗଠନ କରାଯିବ।

ଘରୋଇ ହସ୍ପିଟାଲରେ ୬୦ ପ୍ରତିଶତ ଶଯ୍ୟା କମ୍‌ ଦରରେ ଉପଲବ୍ଧ କରାଇବା। କରୋନା ଚିକିତ୍ସା ଓ ଟେଷ୍ଟିଂ ଦର ସ୍ଥିର କରିବା ଲାଗି ଏକ କମିଟି ଗଠନ କରାଯାଇଛି। କାଲିସୁଦ୍ଧା କମିଟି ରିପୋର୍ଟ ପ୍ରଦାନ କରିବେ। ସରକାର ଅନ୍ତିମ ସଂସ୍କାର ପାଇଁ ନୂତନ ଗାଇଡ୍‌ଲାଇନ୍‌ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍କାଉଟ୍ ଗାଇଡ୍‌, ଏନସିସି, ଏନଏସଏସ ପରି ସଂସ୍ଥାକୁ ମହାମାରୀରେ ସ୍ଵାସ୍ଥ୍ୟ ସେବା ନିମନ୍ତେ ଭଲୁଣ୍ଟିଅର ଭାବେ ସାମିଲ କରାଯିବ।