ନୂଆଦିଲ୍ଲୀ ୧୩।୦୬ : କରୋନା ଆକ୍ରାନ୍ତ ତାଲିକାରେ ଆଉ ଏକ ଲକ୍ଷଣ ଯୋଡି ହୋଇ ଯାଇଛି । ହଠାତ ଆଘ୍ରାଣ ଓ ସ୍ୱାଦ ଶକ୍ତି ହରାଇବା କରୋନା ଲକ୍ଷଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ରେଫରେନ୍ସ ଦଲିଲରେ କୋଭିଡ-୧୯ର ଏହି ଦୁଇଟି ନୂତନ ଲକ୍ଷଣ ଯୋଡାଯାଇଛି। ‘କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ : କୋଭିଡ-୧୯’ ଦଲିଲରେ ପୂର୍ବରୁ ସାତୋଟି ଲକ୍ଷଣ ରହିଥିଲା। ଏହି ଲକ୍ଷଣ ଗୁଡିକ ହେଲା ଜ୍ୱର, କାଶ, ଥକାପଣ, ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା, କଫ, ମାଂସପେଶୀରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଓ ଡାଇରିଆ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି ନୂଆ ଲକ୍ଷଣ ଦଲିଲରେ ଯୋଡିବା ପରେ କହିଛି ଜଣେ ସୁସ୍ଥ ବ୍ୟକ୍ତି ସିଧାସଳଖ ଭାବରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଆକ୍ରାନ୍ତ ହୋଇଥାନ୍ତି। ସଂକ୍ରମିତ ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥାବାର୍ତ୍ତା କରିବା ବେଳେ ଶ୍ୱାସକ୍ରିୟା ବୁନ୍ଦା ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ପ୍ରବେଶ କରିଥାଏ। ଆହୁରି କୁହାଯାଇଛି ଏହି ବୁନ୍ଦାଗୁଡିକ ମାଧ୍ୟମରେ ଭୂତାଣୁ ଅନେକ ସମୟରେ ପୃଷ୍ଠରେ ଅବତରଣ କରି ଅନେକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ। ଯଦି କୌଣସି ବ୍ୟକ୍ତି ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କରି ପରେ ନିଜର ଆଖି, ନାକ କିମ୍ବା ପାଟି ସ୍ପର୍ଶ ଛୁଏଁ ତେବେ ସେ କରୋନା ସଂକ୍ରମଣର ଶିକାର ହୋଇଥାଏ।