ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ନେଇ ଥାନାରେ ଅଭିଯୋଗ

ଖପ୍ରାଖୋଲ ୦୪/୦୬ ( ରୁପେନ୍ଦ୍ର ମୁଣ୍ଡା ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଏକଜିମାଲି ଜମିକୁ ଖପ୍ରାଖୋଲ ସଦର ଗ୍ରାମର ଏକ କମ୍ପ୍ୟୁଟର ଦୋକାନୀ ନିଜ ନାମରେ ଜାଲିଆତି କରି ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇ ନେଇଥିବା ନେଇ ଲାଠୋର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ପିତୃ ଅର୍ଜିତ ଜମି ଖାତା ନମ୍ବର ୨୬ରେ ମୋଟ ୩୫ ଏକର ୪୪ ଡିସମିଲ ଏକଜିମାଲି ଭୁ-ସମ୍ପତ୍ତି ତାଙ୍କ ପରିବାର ବାପା , କାକା , ଦାଦା ଗଣେଶ ପଧାନ , ଅର୍ଜୁନ , ମୋତିରାମ , ହର , ଗୋପାଳ ପଧାନଙ୍କ ନାମରେ ରହିଛି । ୨୦୨୨ ବର୍ଷରେ ଉକ୍ତ ଜମିରେ ଭାଗବଣ୍ଟା କରି ସମସ୍ତେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ନିଜେ ନିଜେ କରିଥିଲେ ହେଲେ ଚଳିତ ବର୍ଷ ୩୦/୫/୨୦୨୩ ତାରିଖ ଦିନ ଫସଲ ବୀମା ସଂଶୋଧନ ଲାଗି ବେନ୍ଦେର ଗ୍ରାମରେ ଏକ ନୋଟିସ ଜାରି କରାଗଲା । ଉକ୍ତ ଜମିର ସଂଶୋଧନ ପାଇଁ ଯାଇ ଜାଣିବାକୁ ପାଇଲେ ଯେ, ସେହି ଜମିରେ ନିଜ ଗ୍ରାମର ସରୋଜ ପଧାନ , ଖପ୍ରାଖୋଲର ଗଜରାଜ ପଧାନ , ଗୁଣନିଧି ପଧାନ , କବିତା ପଧାନଙ୍କ ସହିତ ଖପ୍ରାଖୋଲର ଏକ କମ୍ପ୍ୟୁଟର ଦୋକାନୀ ପଦ୍ମନାଭ ପଧାନ(ହାକା) ସବୁ ଜମିକୁ ଜାଲିଆତି କରି ଫସଲ ବୀମା କରାଇ ନେଇଥିବା ଜାଣି ପାରିଥିଲେ । ଉକ୍ତ ବ୍ୟକ୍ତିମାନଙ୍କ ନାମରେ ଲାଠୋର ଥାନାରେ ଅଭିଯୋଗ କରାଯାଇଛି । ଏହାର ଉଚିତ୍‌ ତଦନ୍ତ ପାଇଁ ପରିବାର ଦାବୀ କରିଛନ୍ତି । ଏନେଇ ଲାଠୋର ଥାନା କେସ ନଂ ୬୬/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି ।