ସାଲିଆସାହି ରେ କରୋନା ପଜିଟିଭ ଚିହ୍ନଟ । କ୍ୟାପିଟାଲ ହସ୍ପିଟାଲରେ ଆଜି ଜଣେ ପ୍ରସୂତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉକ୍ତ ମହିଳାଙ୍କ ଘର ରାଜଧାନୀର ସବୁଠାରୁ ବଡ଼ ବସ୍ତି ସାଲିଆ ସାହିରେ ବୋଲି ସୂଚନା ମିଳିଛି । ଏ ଖବର ମିଳିବା ପରେ ପ୍ରଶାସନ ର ନିଦ ହଜିଯାଇଛି । ଗତ ଚବିଶ ଘଣ୍ଟା ମଧ୍ୟରେ ରାଜଧାନୀରେ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ରାତିରେ ମିଳିଥିବା ଖବର ସବୁଠାରୁ ବେଶୀ ଚିନ୍ତା ବଢ଼ାଇଛି । ସାଲିଆ ସାହି ରେ ରହୁଥିବା ଜଣେ ମହିଳା ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ତାଙ୍କ ସ୍ବାମୀ ଗୁଜୁରାଟ ଫେରନ୍ତା ହୋଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ତାଙ୍କ ନମୁନା ସଂଗ୍ରହ କରି କୋଭିଡ ୧୯ ପରୀକ୍ଷା ପାଇଁ ପଠା ଯାଇଥିଲା ।ଗୋଟିଏ ପଟେ ଆଜି ତାଙ୍କର ପ୍ରସବ ହୋଇଥିବା ବେଳେ ଅନ୍ୟପଟେ ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ତାଙ୍କର ନବଜାତ ଶିଶୁର ନମୁନା ପରୀକ୍ଷା ହୋଇଥିଲା । ଶିଶୁଟିର ରିପୋର୍ଟ ନେଗେଟିଭ ଆସିଛି । ଏହା ପରେ ମା ଓ ଶିଶୁ ଙ୍କୁ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଏବେ ସାଲିଆ ସାହି ରେ କରୋନା ଆଶଙ୍କା ବଢ଼ିଛି । ସେ ହସ୍ପିଟାଲରେ ଭର୍ତ୍ତି ପୂର୍ବରୁ ବସ୍ତିରେ କାହା ସଂସ୍ପର୍ଶରେ ଆସିଥିଲେ ? ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି । ଏମିତି ଅନେକ ପ୍ରଶ୍ନ ସ୍ୱାସ୍ଥ୍ୟ ବିଭାଗ ଓ ବି ଏମ୍ ସି ର ରକ୍ତଚାପ ବଢ଼ାଇ ଦେଇଛି । ତନାଘନା ଅନୁସନ୍ଧାନ ଆରମ୍ଭ କରିଦେଇଛି ପ୍ରଶାସନ । ପୋଲିସ ଟିମ୍ ସାଲିଆ ସାହିକୁ ପଠାଯାଇଛି । ସଂକ୍ରମିତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବାକୁ ପ୍ରୟାସ ଜାରୀ ରଖିଛି ।