ଭୁବନେଶ୍ୱର : ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ଆଜି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ଅଫିସ୍ ଠାରୁ କିଛି ଦୂରରେ ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଧନେଶ୍ୱର। ଏହି ମାମଲାରେ ତହସିଲଦାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ କରୁଥିବା ଜଣାପଡିଛି। କିନ୍ତୁ ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ବାଲିଅନ୍ତା ତହସିଲଦାର କହିଛନ୍ତି ମୋତେ ଏ ବିଷୟରେ କିଛି ଜଣାନାହିଁ। ସେ ଲୋକ କିଏ ମୁଁ ଚିହ୍ନିନି। କିଏ କଣ ବଦମାସୀ କରିଥିବେ। ସେହିପରି ଡାଟା ଏଣ୍ଟ୍ରି ଅପରେଟର କହିଛନ୍ତି ଅଫିସ୍ ସାନିଟାଇଜ ହେଉଥିବା ଯୋଗୁ ସମସ୍ତ କର୍ମଚାରୀ ବାହାରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ଅଫିସ୍ କାମରେ ତାଙ୍କୁ ଜୋରଜବରଦସ୍ତ ଟଙ୍କା ଦେଇଥିଲା। ହେଲେ ଚର୍ଚ୍ଚା ହେଉଛି ଜମିଜମା ମାମଲା ପାଇଁ ଟଙ୍କା କାରବାର ହେଉଥିଲା।