ଚିକେନ୍ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ନିରାପଦ ଏବଂ ଏହି ଗୁଜବକୁ ବିଶ୍ୱାସ ନକରିବା ନିମନ୍ତେ ରାଜ୍ୟ ସରକାର କହିଛନ୍ତି।

ଭୁବନେଶ୍ୱର : ଅଣ୍ଡା ଓ ଚିକେନ ଖାଇଲେ କରୋନାଠାରୁ ଭୟଙ୍କର ରୋଗ ବ୍ୟାପିବ। ଏପରି ହେଉଥିବା ଚର୍ଚ୍ଚା ଏକ ଗୁଜବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଉ କୁହାଯାଇଛି ଚିକେନ୍ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ନିରାପଦ। ତେଣୁ ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ।

ରାଜ୍ୟ ପଶୁପାଳନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅଣ୍ଡା ଓ ଚିକେନ ଖାଇବାକୁ ନେଇ କୌଣସି ତଥ୍ୟ ଜାରି କରାଯାଇ ନାହିଁ। କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ କିମ୍ବା ତା’ଠାରୁ ଭୟଙ୍କର କୌଣସି ରୋଗ ସଂକ୍ରମଣର ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ବିଗତ ଦିନମାନଙ୍କରେ ଘଟିଯାଇଥିବା କରୋନା ଭୂତାଣୁ ସଂକ୍ରମଣ କିମ୍ବା କରୋନା ସମ୍ବନ୍ଧୀୟ ସାଧାରଣ ଥଣ୍ଡାକାଶ କେବେବି କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ବ୍ୟାପି ନଥାଏ। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ। ଅବଶ୍ୟ କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକୁଟଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିବାବେଳେ ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଅଣ୍ଡା ଓ କୁକୁଡ଼ା ମାଂସକୁ ଭଲଭାବେ ସିଝାଇ ଖାଇବା ଉଚିତ୍। ଅଯଥା ଭୟଭୀତ ନହୋଇ ଚିକେନ୍ ଓ ଅଣ୍ଡା ଖାଇବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।