ରାୟଗଡ଼ା, ୧୫/୯(ପ୍ରଫୁଲ୍ଲ କୁମାର ବେହେରା) : ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ। କାଶୀପୁର ବ୍ଲକ ଟିକିରି ପରେ ଆଜି ମୁନିଗୁଡ଼ାରେ ଏକ ବେଆଇନ କ୍ଲିନିକ ସିଲ୍ କରିଛି ପ୍ରଶାସନ। ରାୟଗଡା ଜିଲ୍ଲା ମୁନିଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକକୁ ସିଲ କରିଛି ପ୍ରଶାସନ। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡ ସଞ୍ଜୟ କୁମାର ଓ ଆଇଆଇସି ସୁଗ୍ୟାନୀ ସାହୁ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଡିଗ୍ରୀ ନଥାଇ ବେଆଇନ ଭାବେ କ୍ଲିନିକରେ ଡାକ୍ତର ସୁବ୍ରତ ବିଶ୍ୱାସ ବୋଲି ଜଣେ ବ୍ୟକ୍ତି ଚିକିତ୍ସା କରୁଥିବା ନଜରକୁ ଆସିଥିଲା। ତୁରନ୍ତ କ୍ଲିନିକକୁ ସିଲ କରିବା ସହ ନକଲି ଡାକ୍ତର ସୁବ୍ରତ ବିଶ୍ବାସକୁ ଥାନାରେ ଅଟକ ରଖାଯାଇଛି। ସେଠାରୁ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି। ପ୍ରକାଶ ଥାଉ କି, ଦୀର୍ଘ ବର୍ଷ ଧରି ଏହି କ୍ଲିନିକ୍ ଚାଲିଥିବା ବେଳେ ବେଆଇନ ଭାବେ ରୋଗୀଙ୍କ ଚିକିତ୍ସା ହେଉଥିଲା। ଏନେଇ ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ ସ୍ଵେଚ୍ଛାସେବୀ। ଏହାପରେ ଆଜି ସେଠାରେ ଚଢ଼ାଉ ହୋଇଛି। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ କରାଯିବ ବୋଲି ସୂଚନା ମିଳିଛି।