ଗୁଣପୁର,୨୭/୦୮(ସିଦ୍ଧାର୍ଥ ଦାସ ) : ଚଳିତ ବର୍ଷ ଜିଆଇଇଟି ବିଶ୍ଵବିଦ୍ୟାଳୟ ତାହାର ରୌପ୍ୟ ଜୟନ୍ତୀ ପାଳନ କରିବା ଅଵସରରେ ଅନୁଷ୍ଠାନ ପରିସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ମହାନିର୍ଦେଶକ ଡ଼ ଜଗଦୀଶ ପଣ୍ଡା ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସଫଳତା ତାଙ୍କ କଠିନ ପରିଶ୍ରମରୁ ସମ୍ଭବ ହୋଇପାରିଛି ଏବଂ ସେମାନେ ନିଜର କର୍ମ କ୍ଷେତ୍ରରେ ପ୍ରସଂଶାର ପାତ୍ର ହୋଇଛନ୍ତି ବୋଲି କହିଥିଲେ । ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ ଏନ .ଭି .ଜେ. ରାଓ ଯୋଗ ଦେଇ ଅନୁଷ୍ଠାନର ସଫଳତା ବିଷୟରେ କହିବା ସହିତ ଅନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀମାନଙ୍କ ଅବଦାନ ବିଷୟରେ କହିଥିଲେ । ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଡିନ ଡ଼ ଏ .ବି .ଶ୍ରୀନିବାସ ରାଓ ଯୋଗ ଦେଇ ସ୍ୱାଗତ ଭାଷଣ ଦେବା ସହ ପୁରାତନ ଛାତ୍ର ଛାତ୍ରୀ ଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟାଡ଼ିଶ ର ଡିନ ଡ଼ ଏମ. ଜଗଦୀଶ ଯୋଗଦେଇ ନିଜର କର୍ମ ଓ ଉଦ୍ୟେଗ ହିଁ କର୍ମ କ୍ଷେତ୍ରରେ ଆଗକୁ ବଢ଼ିବାରେ ସାହାଯ୍ୟ କରେ ବୋଲି କହିଥିଲେ । ପୁରାତନ ଛାତ୍ରଛାତ୍ରୀ ସଂଗଠନର ଆବାହକ ଡ଼ କାଳୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥଲେ । ଏହି କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରେ ରହୁଥିବା ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିବା ସହ ଅଧ୍ୟୟନ ସମୟର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଲୁମିନି ଅଫିସର ସରିତା ରାଣୀ ଶତପଥୀ ଏବଂ ଆଲୁମିନି ସଙ୍ଗଠନର ସଦସ୍ୟ ମାନେ ସହଯୋଗ କରିଥିଲେ ।