ପୁରୀରେ ମାଡ଼ ହେବ ଜୱାଦ ! ୯୦ ରୁ ୧୦୦ କି.ମି ବେଗରେ ବହିବ ପବନ

ଭୁବନେଶ୍ଵର, ୦୩/୧୨ : ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଜୱାଦ। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ବାତ୍ୟା ପୁଣି ସମୁଦ୍ର ଭିତରକୁ ଚାଲିଯାଇପାରେ। ବାତ୍ୟା ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳ ଭାଗ ନଛୁଇଁପାରେ। ସ୍ଥଳ ଭାଗ ନଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ। ବାତ୍ୟା ସ୍ଥଳ ଭାଗ ନିକଟ ହେଲେ ୯୦ ରୁ ୧୦୦ କି.ମି ବେଗରେ ପବନ ବହିପାରେ। ଆଇଏମଡି ପକ୍ଷରୁ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରାଯାଇଛି। ବାତ୍ୟା ସମ୍ପର୍କରେ ପ୍ରେସ୍‌ମିଟ୍ କରି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ୮ରୁ ୧୦ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ପୁରୀରେ ବାତ୍ୟା ପ୍ରଭାବ ରହିବ।  ଶୁକ୍ରବାର ମଧ୍ୟରାତିରେ ବର୍ଷାର ପରିମାଣ ବଢିବ । ଦୁଇ ଦିନ ପାଇଁ ପିଇବା ପାଣି ସଂଗ୍ରହ କରି ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ରାଜ୍ୟ ସରକାର ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରତିକୂଳ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫର ୬୦ଟି ଟିମ୍‌, ଏନଡିଆରଏଫର ୩୪ଟି ଟିମ୍‌, ଅଗ୍ନିଶମର ୧୭୨ଟି ଟିମ୍‌ ଗଠନ କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଅମଳ ହେବାକୁ ଥିବା ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହ ଯାହା ଅମଳ ନ ହୋଇପାରିବ ସେଠାରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ନେଇ ପୂର୍ବତଟ ରେଳପଥ ଦେଇ ଯାଉଥିବା ୯୫ଟି ଟ୍ରେନକୁ ବାତିଲ କରାଯାଇଛି ।