ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ଆବେଦନ କରିପାରିବେ। ଏଥିପାଇଁ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆବେଦନ ପତ୍ର ମିଳିବ। ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୫ ରଖାଯାଇଛି।
୧୩ ସେପ୍ଟେମ୍ବର ପୂର୍ବାହ୍ନ ୧୧.୩୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ଥିବା ଛାତ୍ରଛାତ୍ରୀ ୧୪ ରୁ ୨୧ ସେପ୍ଟେମ୍ବର ମଧ୍ୟରେ ନାମ ଲେଖାଇବେ। ସେହିପରି ୨୭ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ୨୯ ସେପ୍ଟମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏହି ପିଲାମାନେ ନାମ ଲେଖାଇବେ।
୪ ଅକ୍ଟୋବରରେ ସ୍ପଟ ସିଲେକସନ ମେଧା ତାଲିକା ପ୍ରକାଶ ପାଇବ। ଦ୍ବିତୀୟ ନାମଲେଖା ପରେ ବଳକା ଥିବା ସିଟ୍ ପାଇଁ ତିନିଗୁଣା ଛାତ୍ରଛାତ୍ରୀଙ୍କୁ ଡକାଯିବ। କରୋନା ପାଇଁ ନାମଲେଖା ଦେୟ ବୃଦ୍ଧି ହେବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।
ଏହା ସହ ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ ଶହ ସିଟ ବୃଦ୍ଧି କରାଯାଇଛି। କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା। କିନ୍ତୁ ୩୮ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି। ବିଜ୍ଞାନରେ ୨୫ ହଜାର ସିଟ୍ ବଢ଼ାଇବାକୁ ଆବେଦନ ହୋଇଥିଲା। କିନ୍ତୁ ୧୩ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି। ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି କରିବାକୁ ଆବେଦନ ହୋଇଥିବା ବେଳେ ୩ ହଜାର୯୦୦ଟି ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି।