ଭୁବନେଶ୍ବର: ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। କେରଳରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଏହା ନିର୍ଦ୍ଧାରିତ ସମୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ମଧ୍ୟ ଜୁନ୍ ୧୧ରେ ପହଞ୍ଚିପାରେ ବୋଲି କୁହାଯାଉଛି। ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।
ସୂଚନା ଅନୁଯାୟୀ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁଛି। ଯଦି ସବୁ କିଛି ସ୍ବାଭାବିକ ରୁହେ ତେବେ ଜୁନ୍ ୧୧ରେ ଓଡ଼ିଶାରେ ପହଞ୍ଚିବ ଏବଂ ଜୁନ୍ ୧୭ ସୁଦ୍ଧା ସମ୍ପୂର୍ଣ୍ଣ ରାଜ୍ୟକୁ ଛୁଇଁବ ।
ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କେରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, କଟକ, ଭଦ୍ରକ ଜିଲ୍ଲାରେ ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ କାଳବୈଶାଖୀ ଜନିତ ବର୍ଷା ହେଉଛି। ୫ ଓ ୬ ତାରିଖରେ ସେଭଳି ବର୍ଷା ନାହିଁ। ୭ ଓ ୮ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବ ବୋଲି
ପାଣିପାଗ ବିଭାଗ ସୂଚନା ଦେଇଛି ।