ଉପଭୋକ୍ତା ଅନ୍‍ଲାଇନରେ ମଦ ମଗାଇ ଥିଲେ ପାଟ୍ରୋଲିଂ ବେଳେ ପୋଲିସ ରଖିଦେଲା

ବାଲିଗୁଡା,୩୦/୦୫ (ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପଭୋକ୍ତା ଙ୍କ ପାଇଁ ଅନ୍‍ଲାଇନରେ ମଦ ବରାଦ କଲେ ତାହା ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଏଥି ପାଇଁ ଉପଭୋକ୍ତା ମାନେ ମଧ୍ୟ ଏକ ପ୍ରକାର ଆଶ୍ୱାସନା ପାଇଛନ୍ତି। ଏହି ଅନଲାଇନ୍‍ ସୁବିଧା ମାଧ୍ୟମରେ ମଦ ପାଇବା ପାଇଁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ବଣଗୁଡ଼ା ଗ୍ରାମର ଦୁଇଜଣ ଓ ସାରଙ୍ଗଡ଼ ଅଞ୍ଚଳର ଜଣେ ଗ୍ରାହକ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କେଲାପଡ଼ା ଠାରେ ଥିବା ବିଦେଶୀ ମଦ ଦୋକାନରୁ ଅନ୍‍ଲାଇନ୍‍ ଦ୍ୱାରା ମଦ ବରାଦ କରିଥିଲେ। ଦୋକାନ ମାଲିକ ଏକ ଅଟୋ ଯୋଗେ ଗ୍ରାହକମାନଙ୍କ ପାଖରେ ମଦ ପହଞ୍ଚାଇବା ପାଇଁ ପଠାଇଥିବା ବେଳେ ସେହି ଗାଡ଼ିକୁ ଫିରିଙ୍ଗିଆ ପୁଲିସ୍‍ ମାସିରିପଡ଼ା ଛକଠାରେ ଅଟକାଇଥିଲା। ତେବେ ଅଟୋ ଚାଳକ ଗଣେଷ ସାହୁ ଅନ୍‍ଲାଇନରେ ମଦ ପହଞ୍ଚାଇବା ପାଇଁ ସେ ସାରଙ୍ଗଡ଼ ନେଉଥିବା ପ୍ରକାଶ କରିଥିଲେ ମଧ୍ୟ ପୁଲିସ୍‍ ଅଟୋ ସହିତ ଗାଡ଼ି ଚାଳକକୁ ଥାନାରେ ଅଟକ ରଖିଥିଲା। ତେବେ କିଛି ସମୟ ପରେ ଗାଡ଼ିର ଚାଳକ ସହିତ ଅଟୋକୁ ଛାଡିଥିଲେ ମଧ୍ୟ ଜବତ ମଦକୁ ଦେଇ ନ ଥିଲେ । ତେବେ ଅନ୍‍ଲାଇନରେ ମଦ ବରାଦ ଦେଇଥିବା ଗ୍ରାହକମାନେ ସେମାନଙ୍କର ଟଙ୍କା ପୂର୍ବରୁ ପଇଠ କରିଥିଲେ ମଧ୍ୟ ସେମାନଙ୍କ ପାଖରେ ମଦ ପହଞ୍ଚି ନ ଥିବାରୁ ଉକ୍ତ ଟଙ୍କା ଗ୍ରାହକମାନଙ୍କୁ ଫେରାଇବା ପାଇଁ ଅଞ୍ଚଳର ସମାଜସେବୀ ବିଜୟ କୁମାର ସାହୁ ଅବକାରୀ ମନ୍ତ୍ରୀ, ପୁଲିସ୍‍ ମହାନିର୍ଦ୍ଦେଶକ ଓ ଫାଇଭ-ଟି ସଚିବଙ୍କ ନିକଟକୁ ଟୁଇଟ୍‍ କରିବା ଘଟଣା ସମଗ୍ର ଅଞ୍ଚଳର ଆଲୋଚ୍ୟର ବିଷୟ ହୋଇଛି।