ଭୁବନେଶ୍ୱର,୧୯।୮: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ। ଆଜି ଦିନ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ। କରୋନା କଟକଣା ପାଇଁ ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ। ସେହିଭଳି ଚଳିତ ମାସ ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଗତ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ ପାଇ ସାରିଛି। ବାଣିଜ୍ୟ ଫଳ ପ୍ରକାଶ ନେଇ ପୂର୍ବରୁ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ କଟକଣା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ଘଟିଛି।
ଆଜି ଦିନ ସାଢ଼େ ୧୧ଟାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ)ର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ପରିଷଦ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ଏହାପରେ ଛାତ୍ରଛାତ୍ରୀମାନେ www.orissaresults.nic.inରୁ ନିଜର ମାର୍କ ଦେଖିପାରିବେ ।
ଛାତ୍ରଛାତ୍ରୀମାନେ ଅନଲାଇନରେ କିମ୍ବା ନିଜ ଏଚ୍ଏସ୍ଏସ୍ରୁ ପରୀକ୍ଷା ଫଳ ସଂଗ୍ରହ କରିପାରିବେ । କୌଣସି ସମସ୍ୟା ଦେଖା ଦେଲେ ସମାଧାନ ପାଇଁ ପରିଷଦ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ୦୬୭୪-୨୩୦୦୯୧୪, ୨୩୦୦୯୦୭ ନମ୍ବରକୁ କଲ୍ କରି ବୁଝିପାରିବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପାଖାପାଖି ୨୫ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୩ରୁ ୨୧ ମଧ୍ୟରେ ଥିଓରି ପରୀକ୍ଷା ହୋଇଥିଲା । କରୋନା ପାଇଁ ଲକଡାଉନ୍ ପରେ ଅବଶିଷ୍ଟ ପରୀକ୍ଷା ହୋଇପାରିନଥିଲା । ଯାହା ବିକଳ୍ପ ମୂଲ୍ୟାୟନ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇଛି । ଅପରପକ୍ଷେ ଆସନ୍ତା ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ କଳା ଫଳ ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।