ଭୁବନେଶ୍ବର୮/୭: ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍। ବାହାଘର ପାଇଁ ଥାନାରୁ ଆଣିବାକୁ ପଡିବ ଅନୁମତି। ସବୁ ଜିଲ୍ଲାରେ କଟକଣା କଡ଼ାକଡ଼ି କରିବାକୁ ଏସ୍ଆରସିଙ୍କ ଚିଠି। ଶେଷ କୃତ୍ୟ ଉପରେ ବଢ଼ିଲା କଟକଣା। ମୃତକଙ୍କ ଥାନା ଅଞ୍ଚଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ବାହାଘରରେ ଶୋଭାଯାତ୍ରା ପାଇଁ ମିଳିବନି ଅନୁମତି। ବାହାଘର କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ।
ଯଦି କେହି ଥଣ୍ଡା, କାଶ ଓ ଜ୍ୱର ଆଦି ଫ୍ଲୁ’ରେ ପୀଡ଼ିତ ଥିବେ ସିଏ ବିବାହ ଭୋଜିରେ ସାମିଲ ହୋଇପାରିବେ ନାହିଁ। ସେହିପରି ୬୫ବର୍ଷରୁ ଅଧିକ ବ୍ୟକ୍ତି, ୧୦ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା, ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ବିବାହ ଉତ୍ସବରେ ସାମିଲ ହୋଇପାରିବେ ନାହିଁ। ବିବାହ ଉତ୍ସବରେ ଲୋକମାନଙ୍କ ମଧ୍ୟରେ ଅତିକମରେ ୨ମିଟର ଦୂରତ୍ୱ ବଜାୟ ରହିବ।
ବିବାହରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି କେବଳ ଖାଇବା ସମୟକୁ ବାଦଦେଲେ ଅନ୍ୟ ସବୁବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପାନ, ଗୁଟଖା ସର୍ବସାଧାରଣରେ ଖାଇପାରିବେ ନାହିଁ । ବରର ପିତା ଅବା ଅଭିଭାବକ ଏହା ସୁନିଶ୍ଚିତ କରାଇବେ। ବିବାହର ଆୟୋଜକ ହାତଧୋଇବା ପାଇଁ ସାବୁନ ଓ ପାଣିର ବ୍ୟବସ୍ଥା ସହ ସାନିଟାଇଜରର ମଧ୍ୟ ବ୍ୟବସ୍ଥା କରିବେ। ଏସବୁ ନିର୍ଦ୍ଦେଶନାମାକୁ ଅମାନ୍ୟ କଲେ ବିବାହ ଆୟୋଜକ, ବିବାହ ହେଉଥିବା ସ୍ଥାନର ମ୍ୟାନେଜର ଓ ବିବାହରେ ସାମିଲ ହୋଇଥିବା ଲୋକମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।